
କେନ୍ଦ୍ରାପଡ଼ା, ୩୧ ଅଗଷ୍ଟ(ହି.ସ.) – ମାର୍ଶାଘାଇ ପଂଚାୟତ ସମିତିର ସପ୍ତମ ବୈଠକ ସୋମବାର ଦୀର୍ଘ ୧୦ ମାସ ପରେ ଅନୁଷ୍ଠିତ ହୋଇଥିଲା। ସମିତି ଅଧ୍ୟକ୍ଷା ମଧୁସ୍ମିତା ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନମୂଳକ ଯୋଜନା ବିଜିବିଓ, କୃଷି ଏବଂ ପରିମଳ ପାନୀୟ ଜଳଯୋଗାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ନଳକୂଅ ମରାମତି ଏବଂ ପାଣି ପମ୍ପ ମରାମତି ନେଇ ସଦସ୍ୟମାନେ ଅଭିଯୋଗ କରିବାପରେ ଗାଡ଼ିକୁ ଇନ୍ଧନ ଯୋଗାଣରେ ଅସୁବିଧା ଯୋଗୁଁ ପାନୀୟ ଜଳଯୋଗାଣ ପାଇଁ ନଳକୂଅ, ପମ୍ପ ମରାମତି ପାଇଁ ବଡ଼ ସମସ୍ୟା ହେଉଛି ବୋଲି ଉତର ମିଳିଥିଲା ବୋଲି ସମିତି ସଭ୍ୟ କହିଛନ୍ତି। ଗହଗା ପାଟ ଅଂଚଳରେ ବର୍ଷା ଏବଂ ନଦୀବନ୍ୟା ପାଣି ଯୋଗୁଁ ସମସ୍ତ ଫସଲ ନଷ୍ଟ ହୋଇଯାଇଛି। ମାର୍ଶାଘାଇ ବ୍ଲକକୁ ବନ୍ୟା ପ୍ରଭାବିତ ଅଂଚଳ ଭାବେ ଘୋଷଣା କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇବା ଏବଂ କୃଷି ଋଣ ଛାଡ଼ କରିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେବାକୁ ପରକୁଳା, ରାଘବପୁର, ବଚ୍ଛରାଇ, ମେହେନ୍ଦିନଗର, ଆଖୁଆ ଦକ୍ଷିଣୀ, ବନ୍ଧକଟା ପଂଚାୟତର ସରପଂଚ ଦାବି କରିଥିଲେ। ପଂଚାୟତିରାଜ ପ୍ରତିନିଧିମାନଙ୍କର କାର୍ଯ୍ୟକାଳର ଏଇ ବୈଠକ ପ୍ରାୟତଃ ଶେଷ ବୈଠକ ହୋଇଥିବାରୁ ସମସ୍ତ ସଦସ୍ୟ ସଦସ୍ୟା ନିଜ ନିଜର ଦାବୀ ରଖିବା ସହିତ ପ୍ରକଳ୍ପ ତାଲିକା ପ୍ରଦାନ କରିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ଏହି ବୈଠକ ଶେଷ ହୋଇଥିବା ବିଡ଼ିଓ ତୃପ୍ତି ମହାନ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ମାର୍ଶାଘାଇ ସମିତି ସଭ୍ୟ ପ୍ରସନ୍ନ ସାହୁ, ବେରୁହାଁ ସମିତି ସଭ୍ୟ ରଂଜିତ ପ୍ରଧାନ, ପରକୁଳା ସମିତିସଭ୍ୟ ସଞ୍ଜୟ ପାତ୍ର, ବଟିରା ସମିତି ସଭ୍ୟା ସୁନତି ସାହୁ, ଯମପଡ଼ା ସଭ୍ୟା ସୁପ୍ରଭା ଜେନା, ଗରଜଙ୍ଗା ସଭ୍ୟ ଶରତ ପ୍ରଧାନ, ଦଶିପୁର ସରପଂଚ ବିକ୍ରମ କେଶରୀ ଦାଶ, ହିନ୍ଦୁଳିଆ ସରପଂଚ ମନୋଜ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ସବୁ ସାଂସଦଙ୍କ ପ୍ରତିନିଧି ପ୍ରଜେଶ ନାୟକ, ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ଭାବେ ପ୍ରତିମା ନାୟକ, ପାଟକୁରା ବିଧାୟକଙ୍କ ପ୍ରତିନିଧି ସୁଧାଂଶୁ ଶେଖର ରାୟ, ଜିଲ୍ଲାପରିଷଦ ସଦସ୍ୟ ପ୍ରମୋଦ ରଥ, ପ୍ରତାପ ମଲ୍ଲିକ, ଦୁର୍ଗାବତୀ ପ୍ରଧାନ ପ୍ରମୁଖ ଉପସ୍ଥତି ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି