ତୃଣମୂଳ ସ୍ତରରେ ଲୋକତନ୍ତ୍ରକୁ ମଜବୁତ କରିବା ସ୍ୱାୟତ୍ତ ଶାସନର ମୂଳ ଲକ୍ଷ୍ୟ: ୭୬ତମ କେନ୍ଦୁଝରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ
କେନ୍ଦୁଝର, 31 ଅଗଷ୍ଟ (ହି.ସ.) ପୌରପାଳିକା ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ୭୬ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହକାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ପାଳିତ ହୋଇଯାଇଛି।ଏହି ସାଧାରଣ ସଭାରେ ମାନ୍ୟବର ଜଙ୍ଗଲ,
Municipality day


କେନ୍ଦୁଝର, 31 ଅଗଷ୍ଟ (ହି.ସ.) ପୌରପାଳିକା ଏବଂ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମିଳିତ ଆନୁକୂଲ୍ୟରେ ୭୬ତମ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହକାରେ କେନ୍ଦୁଝର ଅଡିଟୋରିୟମ୍ଠାରେ ପାଳିତ ହୋଇଯାଇଛି।ଏହି ସାଧାରଣ ସଭାରେ ମାନ୍ୟବର ଜଙ୍ଗଲ, ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତ, ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ଗଣେଶରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ମାନ୍ୟବର ମୁଖ୍ୟ ଅତିଥିଙ୍କୁ ସମ୍ମାନସୂଚକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।

ମାନ୍ୟବର ମନ୍ତ୍ରୀ ନିଜ ବକ୍ତବ୍ୟରେ ସହରର ବିବିଧ ସଫଳତା ଓ ଆଗାମୀ ଯୋଜନା ସମ୍ପର୍କରେ ଆଲୋକପାତ କରି କହିଥିଲେ ଯେ, ସହରବାସୀଙ୍କ ଜୀବନଶୈଳୀରେ ସୁଧାର ଆଣିବା ପାଇଁ ୫ ଟି ପାର୍କ, ୭ ଟି ଓପନ୍ ଜିମ୍, ୬ ଟି ପୋଖରୀ ଓ ୨୧ ଟି ପରିଚୟ ଗୃହର ରୂପାନ୍ତରୀକରଣ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨,୭୨୨ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ୧,୬୭୦ ଜଣ ଘର ନିର୍ମାଣ ଶେଷ କରିଛନ୍ତି। ସେହିପରି 'ସହଯୋଗ' ଯୋଜନା ମାଧ୍ୟମରେ ୩୪,୫୭୬ ଜଣ ନାଗରିକଙ୍କୁ ସାମିଲ କରାଯାଇ ଲାଭାନ୍ୱିତ କରାଯାଇଥିବାରୁ ରାଜ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କଠାରୁ ପୌରପାଳିକାକୁ ପ୍ରଶଂସା ପତ୍ର ପ୍ରାପ୍ତ ହୋଇଛି।

ଭୁବନେଶ୍ୱରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଭିନ୍ନ ଜନହିତକର ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା। ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଇଁ ଜନକଲ୍ୟାଣକାରୀ ପ୍ରକଳ୍ପଗୁଡ଼ିକ ଲୋକାର୍ପିତ କରିଛନ୍ତି । କେନ୍ଦୁଝରଗଡ଼ ପୌରପାଳିକାର ବଳଭଦ୍ରପୁର ନୂଆ ଏଫଏସଟିପି ଠାରେ ନିର୍ମିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର, ପୌରପାଳିକାର ନବନିର୍ମିତ/ସମ୍ପ୍ରସାରିତ ପ୍ରଶାସନିକ ଭବନ, ବଳଭଦ୍ରପୁର ନୂଆ ଏଫଏସଟିପି ଠାରେ ନିର୍ମିତ ବର୍ଜ୍ୟବସ୍ତୁ ପୁନରୁଦ୍ଧାର କେନ୍ଦ୍ର, ଯୋଡ଼ା ପୌରପାଳିକାଠାରେ ୱାର୍ଡ ନଂ-୦୩ ରେ କୁଶଳ ପାତ୍ରଙ୍କ ଘରଠାରୁ ବୀର ମହାକୁଡ଼ଙ୍କ ଘର ପର୍ଯ୍ୟନ୍ତ ନିର୍ମିତ ପେଭର୍ ବ୍ଲକ୍ ରାସ୍ତା, ଆନନ୍ଦପୁର ପୌରପାଳିକା ୱାର୍ଡ ନଂ-୦୭ ବ୍ରିଜ୍ ଛକ ଓ ୱାର୍ଡ ନଂ-୧୨ ଶାଳପଡ଼ା ଛକଠାରେ ନିର୍ମିତ ଦୁଇଟି ଆଧୁନିକ ବସ୍ ୱେଟିଂ ସେଡ୍ୱାର୍ଡ ନଂ-୧୧ ବଡ଼ାମ୍ବ ଖେଳପଡ଼ିଆଠାରେ ନିର୍ମିତ ୱାକିଂ ଟ୍ରାକ୍ ସହ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ। ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜିଲ୍ଲାର ପୌରାଞ୍ଚଳବାସୀଙ୍କ ଗମନାଗମନ, ସ୍ୱଚ୍ଛତା, ବର୍ଯ୍ୟବସ୍ତୁ ପରିଚାଳନା ଏବଂ ପ୍ରଶାସନିକ ସେବା ପ୍ରଦାନ କ୍ଷେତ୍ରରେ ବିଶେଷ ସୁବିଧା ହୋଇପାରିବ।

ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୮୦.୩୨ କୋଟି ଟଙ୍କା ବ୍ୟୟରେ ୪୦୬ ଟି ନୂତନ ପ୍ରକଳ୍ପ ହାତକୁ ନିଆଯାଉଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ୯ କୋଟି ଟଙ୍କାରେ ‘ସ୍ମାର୍ଟ ପାର୍କ’, ୬.୨୧ କୋଟି ଟଙ୍କାର ଗୋଶାଳା, ୫ କୋଟି ଟଙ୍କାର ନୂତନ ପୌରପାଳିକା କାର୍ଯ୍ୟାଳୟ ଗୃହ ଏବଂ ୧.୫୦ କୋଟି ଟଙ୍କାର ‘ସୁଭଦ୍ରା ହାଟ’ ନିର୍ମାଣ ହେବ। ଏହା ବ୍ୟତୀତ ଗାନ୍ଧୀଛକଠାରେ ୫୫ କୋଟି ଟଙ୍କା ବ୍ୟୟରେ ମଲ୍ଟି-ଷ୍ଟୋରେଜ୍ ମାର୍କେଟ କମ୍ପ୍ଲେକ୍ସ, ଢଙ୍ଗଡ଼ାପଡ଼ା ଶବଦାହ କେନ୍ଦ୍ରର ସଂସ୍କାର, ହାଡ଼ବନ୍ଧ ପୋଖରୀର ସୌନ୍ଦର୍ଯ୍ୟକରଣ, ଫ୍ଲୋଟିଂ ଜେଟ୍ ବୋଟିଂ, ମିଶନ୍ ଶକ୍ତି କାଫେ, ଇ-ଲାଇବ୍ରେରୀ, ଇଭି ଚାର୍ଜିଂ ଷ୍ଟେସନ୍ ଏବଂ ଓଏସଏମଇ ନିକଟରେ ଫୁଡ୍ କୋର୍ଟ ଓ ସେଲଫି ପଏଣ୍ଟ ନିର୍ମାଣ ପାଇଁ ଯୋଜନା ରହିଛି।ସହରର ୨୧ ଟି ୱାର୍ଡରେ ୨୧୪ ଜଣ ସଫେଇ କର୍ମଚାରୀ ଓ ୩୧ ଟି ସ୍ୱଚ୍ଛ ସବାରୀ ନିୟୋଜିତ କରାଯାଇ ପରିମଳ ବ୍ୟବସ୍ଥା ସୁଚାରୁରୂପେ ପରିଚାଳିତ ହେଉଛି। ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣରୁ ୯.୧ ଲକ୍ଷ ଖତ ବିକ୍ରିରୁ ୧.୪୧ କୋଟି ଟଙ୍କା ଏବଂ ପ୍ଲାଷ୍ଟିକ ବିକ୍ରିରୁ ୧୦ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି। ଚଳିତ ବର୍ଷ ପୌରପାଳିକା ୭୮.୮୩% ସଫଳତା ସହ ୯.୨୭ କୋଟି ଟଙ୍କାର ରାଜସ୍ୱ ଆଦାୟ କରିପାରିଛି।

ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦୁଝର ସାଂସଦ ଶ୍ରୀଯୁକ୍ତ ଅନନ୍ତ ନାୟକ, ତେଲକୋଇ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଡାକ୍ତର ଫକୀରମୋହନ ନାଏକ, ପାଟଣା ବିଧାୟକ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ନାଏକ, କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିକୁ ସାହୁ ଏବଂ ପୌରପାଳିକା ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବରଦା ପ୍ରସନ୍ନ ଦାସ ଉପସ୍ଥିତ ଥିଲେ। ପ୍ରଶାସନିକ ସ୍ତରରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଧନରାଜ ହନୁମନ୍ତ ଧାମଧେରେ ଓ ଅନ୍ୟାନ୍ୟ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀବୃନ୍ଦ ଯୋଗଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande