
ଝାରସୁଗୁଡ଼ା, ୩୧ ଅଗଷ୍ଟ (ହି.ସ.)- ଓଡ଼ିଶା ଭିଜିଲାନ୍ସକୁ ଏକ ଗୁରୁତ୍ୱପୂର୍ଣ୍ଣ ଦୁର୍ନୀତି ମାମଲାରେ ସଫଳତା ମିଳିଛି। ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚ)ର ପୂର୍ବତନ ବରିଷ୍ଠ ଶଲ୍ୟ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ଡାକ୍ତର ଡା. ଦେବେନ୍ଦ୍ରନାଥ ନାୟକଙ୍କୁ ଲାଞ୍ଚ ନେବା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ଆଜି ପ୍ରକାଶିତ ରାୟରେ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଡା. ନାୟକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ରାୟ ପରେ ତାଙ୍କୁ ଜେଲ ହାଜତକୁ ପଠାଯାଇଛି।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ହାଇଡ୍ରୋସିଲ୍ ଅପରେସନ କରିବା ପାଇଁ ଲାଞ୍ଚ ଦାବି ଓ ଗ୍ରହଣ କରିଥିବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ତାଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା।
ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଡା. ଦେବେନ୍ଦ୍ରନାଥ ନାୟକଙ୍କ ପେନସନ ବନ୍ଦ କରିବା ପାଇଁ ସମ୍ପୃକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ