
ଜୟପୁର, ୩୧ ଅଗଷ୍ଟ (ହି.ସ.) - ନକଲି ନିଯୁକ୍ତି ପତ୍ର ଦେଇ ଠକେର ମାମଲା ରେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ଉମୁରୀ ଗ୍ରାମର ଲକ୍ଷ୍ମୀ କାନ୍ତ ହାଲବା । ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଉଟସୋର୍ସିଂ ଚାକିରି ଦେବା ନାଁରେ ନକଲି ନିଯୁକ୍ତି ପତ୍ର ଦେଇ ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସଦର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ହାଲବା(୩୬)ଙ୍କୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରୀ ଗ୍ରାମର ଲକ୍ଷ୍ମୀକାନ୍ତ ହାଲବା ନିଜକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀ ବୋଲି ପରିଚୟ ଦେଇ କେଆରପିସି ଆଉଟସୋର୍ସିଂ' ଏଜେନ୍ସି ମାଧ୍ୟମରେ ଡାକ୍ତରଖାନାରେ ଚାକିରି କରାଇଦେବାକୁ କହି ୩ ଜଣ ଯୁବକଙ୍କ ବିଶ୍ୱାସ ଜିତିଥିଲେ। ପ୍ରଥମେ ଇନସ୍ୟୁରାନ୍ସ ଓ ଆଇକାର୍ଡ ବାବଦକୁ କିସ୍ତି ଆକାରରେ ୫ ହଜାର ଟଙ୍କା ଲେଖାଏଁ ନେବା ପରେ, ସମ୍ପର୍କୀୟ ଓ ସାଙ୍ଗସାଥୀଙ୍କୁ ଚାକିରି ଦେବା ନାଁରେ ଅନଲାଇନ ମାଧ୍ୟମରେ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ।
ପୂର୍ବରୁ ୨୦୧୪ ମସିହାରେ ବିସିଂପୁର ଅଂଚଳରୁ ଚାକିରି ନାଁରେ ୧.୩୫ ଲକ୍ଷ ଟଙ୍କା ଠକି ଜେଲ ଯାଇଥିଲେ। ଏହି ଅଭିଯୁକ୍ତଙ୍କ ବିରୋଧରେ ରବିବାର ସଦର ଥାନାରେ ମାମଲା -୨୭୭/୨୬ରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ଲକ୍ଷ୍ମୀକାନ୍ତ ହାଲବାଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ବିଷୟ ସଦର ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି