
ମାଲକାନଗିରି,୧ ସେପ୍ଟେମ୍ବର (ହି.ସ.)
ସ୍ୱାଧୀନ ଭାରତରେ ଲୋକେ ନିଜ ଇଚ୍ଛାରେ ଚଳପ୍ରଚଳ କରୁଛନ୍ତି, ନିଜ ଜମି ଓ ଘରକୁ ଉପଭୋଗ କରୁଛନ୍ତି। ହେଲେ ମାଲକାନଗିରିରେ ଏମିତି କିଛି ପରିବାର ଅଛନ୍ତି, ଯେଉଁମାନେ ନିଜ ଭିଟାମାଟିର ସ୍ୱାଧୀନତା ଆଜି ବି ଖୋଜୁଛନ୍ତି। ଦିନେ ମାଓବାଦୀଙ୍କ ଭୟ ଓ ଧମକରେ ଜୀବନ ବଞ୍ଚାଇବା ପାଇଁ ଘରଦ୍ୱାର ଛାଡ଼ିଥିବା ଏହି ପରିବାରଗୁଡ଼ିକ ଦୀର୍ଘ ୧୫ ବର୍ଷ ପରେ ମଧ୍ୟ ନିଜ ଗାଁକୁ ଫେରିପାରୁନାହାନ୍ତି। ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିବା ମାଲକାନଗିରିର ସ୍ୱାଭିମାନ ଅଞ୍ଚଳ ଆଜି ମାଓମୁକ୍ତ। ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। କିନ୍ତୁ ଏହି ବିକାଶର ମଧ୍ୟରେ ନିଜ ଭିଟାମାଟି ହରାଇଥିବା ପରିବାରଙ୍କ ଯନ୍ତ୍ରଣା ଏବେ ବି ଅସମାପ୍ତ।
ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ, ଯୋଡ଼ାଆମ୍ବ, ରାଲେଗଡ଼ା ଆଦି ଅନେକ ଗ୍ରାମର ୫୦ରୁ ଊର୍ଦ୍ଧ୍ଵ ପରିବାର ମାଓବାଦୀଙ୍କ ଭୟ ଓ ଧମକରେ ଚିତ୍ରକୋଣ୍ଡା ଓ କୁଡୁମୁଲୁଗୁମ୍ମା ଅଞ୍ଚଳକୁ ପଳାଇ ଆସିଥିଲେ। କେତେକ ପରିବାରର ସଦସ୍ୟଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ଅଭିଯୋଗ ମଧ୍ୟ ରହିଛି। ସେହି ସମୟରେ ପ୍ରଶାସନ ପକ୍ଷରୁ ଏହି ପରିବାରଗୁଡ଼ିକୁ ରହିବା ପାଇଁ ଅନାବାଦି ସରକାରୀ ଜାଗା ଓ କିଛି ସୁବିଧା ଯୋଗାଇ ଦିଆଯାଇଥିଲା। ସରକାରୀ ଜାଗାରେ ଏହି ପରିବାର ଗୁଡିକ ଆଜି ବି ମାଟି ଓ ଟିଣଛପର ଘରେ ଦିନ କାଟୁଛନ୍ତି। କୁଲି ମଜୁରୀ କରି ପରିବାର ଚଳାଉଛନ୍ତି। ଏଠାରେ ସେମାନଙ୍କ ପାଖରେ ନାହି ଚାଷ ଜମି କି ନିଜ ନାମରେ ଖଣ୍ଡିଏ ପଟ୍ଟା ଜମି। ଯାହା ଥିଲା ତାହା ଗାଁରେ ହିଁ ରହି ଯାଇଛି। ନିଜ ଗାଁରେ ଥିବା ଜମିକୁ ମଧ୍ୟ ଅନ୍ୟମାନେ ଦଖଲ କରିନେଇଥିବା ନେଇ ବିସ୍ଥାପିତ ପରିବାରମାନେ ଅଭିଯୋଗ କରିଛନ୍ତି। ତେଣୁ ମାଓବାଦୀ ଭୟ ନଥିଲେ ମଧ୍ୟ ଜମି ଓ ଘର ସମସ୍ୟା ଯୋଗୁଁ ସେମାନେ ନିଜ ଗାଁକୁ ଫେରିବାକୁ ସାହସ କରିପାରୁନାହାନ୍ତି। ଏହି ପରିବାର ଗୁଡିକ ବର୍ତ୍ତମାନ ସ୍ଥାୟୀ ଜାଗା, ଘର, ଆବାସ ଏବଂ ନିଜ ଗାଁରେ ଥିବା ଜମି ଫେରାଇଦେବାକୁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା କହିଛନ୍ତି, ସ୍ୱାଭିମାନ ଅଞ୍ଚଳ ଏବେ ମାଓମୁକ୍ତ ହୋଇଥିବାରୁ ପରିବାରଗୁଡ଼ିକ ନିଜ ଗାଁର ଜମିରେ ଚାଷ କରିବାକୁ ଆଗେଇ ଆସନ୍ତୁ। ଯେଉଁମାନେ ଏଠାରେ ରହିବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ସହାୟତା ଯୋଗାଇବା ସହ ଜମି ଓ ଅନ୍ୟାନ୍ୟ ସୁବିଧା ଦେବା ଦିଗରେ ପଦକ୍ଷେପ ନିଆଯିବ।
ବନ୍ଧୁକ ମୂନର ଶାସନ ହଟିଲା, ବିକାଶ ଧାରାରେ ସ୍ଵାଭିମାନ ଅଞ୍ଚଳ ବିକଶିତ ମଧ୍ୟ ହେଲା। କଳା ପତାକା ଉଡୁଥିବା ସ୍ଥାନରେ ବର୍ତ୍ତମାନ ଫର ଫର ହୋଇ ତ୍ରିରଙ୍ଗା ଉଡିଲା। କିନ୍ତୁ ମାଓମୁକ୍ତି ପରେ ଏବେ ଏହି ପରିବାରଙ୍କ ପାଇଁ ଭିଟାମାଟିର ସ୍ୱାଧୀନତା କେବେ ଫେରିବ, ତାହା ଏହି ପରିବାର ଗୁଡିକ ପାଇଁ ସ୍ଵପ୍ନ ହୋଇ ରହିଗଲା।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ