
ଚମ୍ପୁଆ, 14 ସେପ୍ଟେମ୍ବର (ହି.ସ.): ବିଭାଗୀୟ ଉଦାସୀନତା ଓ ଦୂରଦୃଷ୍ଟି ଅଭାବରୁ ଚମ୍ପୁଆ ଏନଏସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ବାରିକ ସାହିରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ସାହେବ ବନ୍ଧରୁ ବହିଯାଉଥିବା ମୁଖ୍ୟ କେନାଲଟି ଦୀର୍ଘ ଦିନ ଧରି ସଫା କରାଯାଉ ନଥିବାରୁ ଏହା ଏବେ ଲତା ଓ ଆବର୍ଜନାରେ ଜାମ ହୋଇ ପଡ଼ିଛି। ଫଳରେ ସାମ୍ପ୍ରତିକ ଲଗାଣ ବର୍ଷାରେ ବନ୍ୟା ଜଳ କେନାଲ ମଧ୍ୟ ଦେଇ ଗତି କରି ନପାରି ନିଜର ଗତିପଥ ବଦଳାଇ ଦେଇଛି।କେନାଲର ଏହି ପରିବର୍ତ୍ତିତ ସ୍ରୋତ ଏବେ ସ୍ଥାନୀୟ ବାସିନ୍ଦାଙ୍କ ଘରବାରି ପ୍ଲଟ ନମ୍ବର ୧୪୮୬/୪୦୮୧ ଓ ୧୪୮୬ ମଧ୍ୟରେ ପ୍ରବେଶ କରି ବୈତରଣୀ ନଦୀରେ ମିଶୁଛି। କେନାଲରେ ନିୟମିତ ତୀବ୍ର ଜଳ ପ୍ରବାହ ଯୋଗୁଁ ଦୁଇ କଡ଼ରେ ବ୍ୟାପକ ମୃତ୍ତିକା କ୍ଷୟ ହେବାରେ ଲାଗିଛି। ଫଳରେ ନିକଟରେ ଥିବା ବାସଗୃହ ଗୁଡ଼ିକ ପ୍ରତି ପ୍ରବଳ ବିପଦ ସୃଷ୍ଟି ହୋଇଛି।
ବନ୍ୟା ଜଳର ପ୍ରଖର ସ୍ରୋତ ଯୋଗୁଁ ସେଠାରେ ସୃଷ୍ଟି ହୋଇଥିବା ଭଗ୍ନ ଖାଇରୁ ବଡ଼ ବଡ଼ ଅତଡ଼ା ଖସିବାରେ ଲାଗିଛି, ଯାହାଦ୍ୱାରା ଖାଇଟି ନିଜର କାୟା ବିସ୍ତାର କରି ଚାଲିଛି। ଏହି ଅତଡ଼ା ଖସିବା ଫଳରେ ଖାଇ କୂଳରେ ଥିବା ଏକ ବିରାଟ ସିମୁଳି ଗଛ ଏବଂ ଏକ ଜାମୁ ଗଛ ନିକଟସ୍ଥ ବାସଗୃହ ଉପରେ ଭାଙ୍ଗି ପଡ଼ିଛି। ଏହା ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ଗୃହର ଆଂଶିକ କ୍ଷତି ଘଟିଥିବା ବେଳେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।
ଏହି କେନାଲଟି କ୍ଷୁଦ୍ର ଜଳ ସେଚନ ବିଭାଗ ଅଧୀନରେ ଥିବା ବେଳେ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଛି। ସ୍ଥାନୀୟ ଅଧିବାସୀମାନେ ବାରମ୍ବାର ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ବିଭାଗର ଏଭଳି ନିଷ୍କ୍ରିୟତା ଓ ନିରବଦ୍ରଷ୍ଟା ସାଜିବା ମନୋଭାବକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯଥାଶୀଘ୍ର କେନାଲ ସଫା କରାଯାଇ ମୃତ୍ତିକା କ୍ଷୟ ରୋକିବାକୁ ସୁରକ୍ଷା ପ୍ରାଚୀର ନିର୍ମାଣ ନକଲେ, ଆଗକୁ ବଡ଼ ଧରଣର ଧନଜୀବନ ହାନି ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ତେଣୁ ଏଥି ପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta