
ଖୋର୍ଦ୍ଧା, ୧୫ ସେପ୍ଟେମ୍ବର (ହି.ସ.) - ଖୋର୍ଦ୍ଧା ଉପକଣ୍ଠ ତରତୁଆସ୍ଥିତ ବିକ୍ରମ ନଗର କ୍ୟାମ୍ପ ପରିସରରେ ୪୧ତମ ବାହିନୀ ଭାରତ-ତିବ୍ୱତ ସୀମା ପୋଲିସ ବଳ (ଆଇଟିବିପି)ର ୧୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇଟିବିପି କ୍ଷେତ୍ରୀୟ ମୁଖ୍ୟାଳୟ, ଭୁବନେଶ୍ୱରର ଉପ-ମହାନିରୀକ୍ଷକ ବେଣୁଧର ନାୟକ ଏବଂ ହିମବୀର ୱାଇଫ୍ସ ୱେଲଫେୟାର ଆସୋସିଏସନ (ହାୱା)ର ଚିଫ୍ ଏକ୍ଜିକ୍ୟୁଟିଭ୍ ଗିରିଜା ପ୍ରିୟଦର୍ଶିନୀଙ୍କ ଉପସ୍ଥିତିରେ ବିଭିନ୍ନ କାର୍ଯ୍ୟକ୍ରମ ଓ ମନୋରଞ୍ଜନଧର୍ମୀ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପିଲାମାନଙ୍କ ପାଇଁ ଜିଲାପି ଦୌଡ଼, (ହାୱା) ସଦସ୍ୟାମାନଙ୍କ ପାଇଁ ବେଲନ୍ ଥ୍ରୋ, ମ୍ୟୁଜିକାଲ୍ ଚେୟାର ଏବଂ ମହିଳାମାନଙ୍କ ପାଇଁ ଛୁଂଚି-ସୂତା ଦୌଡ଼ ପ୍ରତିଯୋଗିତା ହୋଇଥିଲା। ଏଥିସହ ବିଭିନ୍ନ ପ୍ରକାରର ଷ୍ଟଲ୍ ମଧ୍ୟ ଖୋଲାଯାଇଥିଲା। ସେହିପରି ଯବାନମାନଙ୍କ ପାଇଁ ବସ୍ତା ଦୌଡ଼ ଓ ରସାକସି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ବାହିନୀର ଯବାନ, (ହାୱା) ସଦସ୍ୟା ଓ ପିଲାମାନେ ଉତ୍ସାହର ସହ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ।ପ୍ରତିଷ୍ଠା ଦିବସ ଅବସରରେ ଏଭଳି କାର୍ଯ୍ୟକ୍ରମ ବାହିନୀର ସଦସ୍ୟ, ପରିବାରବର୍ଗ ଓ ପିଲାମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଉତ୍ସାହକୁ ସୁଦୃଢ଼ କରିଥିଲା।
ହିନ୍ଦୁସ୍ଥାନ ସମାଚାର / ରାକେଶ