




ସମ୍ବଲପୁର, ୨୦ ସେପ୍ଟେମ୍ବର(ହି.ସ.) – ସମ୍ବଲପୁର ସ୍ଥିତ ସାମ୍ବାଦିକ ଭବନ ଠାରେ ଆଜି ସନ୍ଧ୍ୟାରେ ଅମୀର ଖୁସ୍ରୁ ଫାଉଣ୍ଡେସନ ପକ୍ଷରୁ ମହାସମାରୋହରେ ନୁଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠାନର ସଭାପତି ନାସିର ଫରହଜ଼ଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଆଇନଜୀବୀ ସୁରେଶ୍ୱର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଅନୁଷ୍ଠାନର ଆବାହକ ସୂର୍ଯ୍ୟ ପାଣିଗ୍ରାହୀ, ଉପସଭାପତି ଅକମଲ ଖାନ୍, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଜୟକୃଷ୍ଣ ବେହେରା ପ୍ରମୁଖ ମଂଚାସୀନ ରହିଥିଲେ। ପ୍ରାରମ୍ଭରେ ଇଷ୍ଟଦେବୀ ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଯୁଗ୍ମ ସମ୍ପାଦକ ଶ୍ରୀ ତ୍ରିପାଠୀ ମା'ଙ୍କ ଉଦ୍ଦେଶ୍ୟରେ ଏକ ଭକ୍ତିପୂର୍ଣ୍ଣ ସଂଗୀତ ପରିବେଷଣ କରିଥିଲେ। ଆବାହକ ଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେବା ସହ ଗଣପର୍ବ ନୁଆଁଖାଇର ମହତ୍ୱ ଉପରେ ବିସ୍ତୃତ ଆଲୋକପାତ କରିଥିଲେ। ଉପସଭାପତି ଆକମଲ ଖାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ ଆଜିର ଦିନରେ ନୁଆଁଖାଇର ସ୍ୱରୂପ ଭିନ୍ନ ଓ ସୁଦୂର ପ୍ରସାରି ହୋଇଗଲାଣି ବୋଲି କହିଥିଲେ। ସଭାପତି ନାସିର ଫରହଜ଼ ତାଙ୍କ ବକ୍ତବ୍ୟରେ ଏହି ମାଟିର ପର୍ବ ନୁଆଁଖାଇ, ଯାହା ସାରା ଦେଶରେ ଏକ ଭିନ୍ନ ପରିଚୟ ହାସଲ କରିପାରିଥିବା ପ୍ରକାଶ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ କବୟିତ୍ରୀ ପଙ୍କଜିନୀ ନାୟକ ଓ ସୁଷମା ପ୍ରଧାନଙ୍କ ସଂଯୋଜନାରେ ଏକ ସ୍ମୃତିମଧୁର ସମ୍ବଲପୁରୀ କବିତା ପାଠ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଣରଞ୍ଜନ ସାଲିମା, ସବିତା ମିଶ୍ର, ତପସ୍ୱିନୀ ନେପାକ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଲଳିତ ମୋହନ ବେବର୍ତା, ଡ଼. ଅନୁପମା ବିଶ୍ୱାଳ, କାହ୍ନୁ କେଶବ ବହିଦାର, ସିଦ୍ଧି ସ୍ୱରୂପା ପାଢ଼ୀ, କମଲ ଲୋଚନ ପଣ୍ଡା, ମମତା ନାଥ, ତରିଣୀକାନ୍ତ ଡନସେନା, ଅଳକା ମହାପାତ୍ର, ଡାକ୍ତର ରାଜାରାମ ଷଡ଼ଙ୍ଗୀ, ସୁପ୍ରିୟା ଦାସ, ପ୍ରଭଞ୍ଜନ ପୁରୋହିତ, ବିରଜା ମୋହିନୀ ତ୍ରିପାଠୀ, କଳ୍ପନା ମହାପାତ୍ର ପ୍ରମୁଖ ସ୍ୱରଚିତ ଓ ଭାବଗର୍ଭକ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମକୁ ସୌମିକ ବାବୁ, ମନୋଜ ପଣ୍ଡା ପ୍ରମୁଖ ପରିଚାଳନା କରିଥିବାବେଳେ ଶେଷରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ