
ସୁବର୍ଣପୁର, 20 ସେପ୍ଟେମ୍ବର (ହି.ସ.)
: ସୁବର୍ଣ୍ଣପୁରରେ ପ୍ରଥମ ଥର ପାଇଁ ଆୟୋଜନ ହେବାକୁ ଥିବା ୬୫ତମ ସାହାଣୀ କପ୍ ଫୁଟବଲ୍ ଲିଗ୍ ୨୦୨୬/୨୭ ପାଇଁ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମ୍ ଠାରେ ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ଓ ଓଡ଼ିଶା ସରକାରଙ୍କ କ୍ରୀଡା ଯୁବ ବ୍ୟାପାର ବିଭାଗର ନିର୍ଦ୍ଦେଶ ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍ ଠାରେ ଅନୁଷ୍ଟିତ ହେବାକୁ ଥିବା ଏହି ସାହାଣୀ କପ୍ ଫୁଟବଲ୍ ଆୟୋଜନରେ ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରସାଶନର ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି ପ୍ରକାଶ ପାଇଛି । ଆସନ୍ତା ୨୩ ତାରିଖ ବୁଧବାର ଦିନ ଠାରୁ ଅକ୍ଟୋବର ୩ ତାରିଖ ଯାଏ ରାଜ୍ୟରେ ଏକା ସାଙ୍ଗରେ ଚାରି ଗୋଟି ଜୋନରେ ଖେଳ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ସୁବର୍ଣ୍ଣପୁର ଜୋନରେ ରାଜ୍ୟର ୯ ଗୋଟି ଫୁଟବଲ୍ ଦଳ ଅଂଶ ଗ୍ରହଣ କରିବେ ବୋଲି ସୁଚନା ମିଳିଛି । ଓଡ଼ିଶା ଫୁଟବଲ୍ ଏସୋସିଏସନ୍ ଅଫିସିଆଲ୍ ଏହି ମେଗା ବା ମର୍ଯ୍ୟାଦା ପୂର୍ଣ୍ଣ ଫୁଟବଲ୍ ଲିଗ୍ର ସମସ୍ତ ବ୍ୟବସ୍ଥା ତଦାରଖ ସହ ପରିଚାଳନାରେ ନଜର ରଖିବେ ବୋଲି ସୁଚନା ମିଳିଛି । ୧୮୦ ଜଣ ଖେଳାଳିଙ୍କ ସହ ଅଫିସିଆଲ୍ ୧୪ ଜଣ ସମୁଦାୟ ୧୯୪ ଜଣ ଅତିଥିଙ୍କ ପାଇଁ ୧୨ ଦିନ ଧରି ଜିଲ୍ଲା କ୍ରୀଡା ସଂଘ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ରହିବା ଖାଇବା ସମସ୍ତ ବ୍ୟବସ୍ଥା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ଓ ଏଥିପାଇଁ ସ୍ୱତନ୍ତ୍ର କମିଟି ମାନ ଗଠନ କରାଯାଇଛି ବୋଲି ଜିଲ୍ଲା କ୍ରୀଡା ସଂଘର ଉପ ସଭାପତି ଶ୍ରୀ ତରାସିଆ ପ୍ରକାଶ କରିଛନ୍ତି ଏବଂ ଗ୍ରୁପ୍ ‘ଏ’ ଓ ‘ବି’ରେ ଦିନକୁ ୨ ଗୋଟି ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ପୀୟୂଷ କୁମାର ପଣ୍ତା ସୁଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ