
ଝାରସୁଗୁଡ଼ା, ୨୦ ସେପ୍ଟେମ୍ବର (ହି.ସ.)ଚାନ୍ଦନିମାଲ ପଞ୍ଚାୟତରେ ‘ମେରା ୟୁବା ଭାରତ’ , ଝାରସୁଗୁଡ଼ା ଏବଂ ରୟାଲ୍ କ୍ଲବ୍, ଚାନ୍ଦନିମାଲର ମିଳିତ ଆନୁକୂଲ୍ୟରେ ‘ନିଶାମୁକ୍ତ ବିକଶିତ ଭାରତ’ ଗଠନ ଲକ୍ଷ୍ୟ ନେଇ ଏକ ଶପଥ ପାଠ ତଥା ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଯୁଗଳ କିଶୋର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସମାଜ ତଥା ଦେଶରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେଲେ ପ୍ରଥମେ ପ୍ରତ୍ୟେକ ଯୁବକ ନିଜକୁ ନିଶାଦ୍ରବ୍ୟ ଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିବା ନିତାନ୍ତ ଜରୁରୀ। ଏକ ସୁସ୍ଥ ଯୁବକ ସଂଘ ମାଧ୍ୟମରେ କିପରି ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ କରାଯାଇପାରିବ, ସେ ଦିଗରେ ସେ ଉପସ୍ଥିତ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୁବ ଇଞ୍ଜିନିୟର ଆକାଶ କୁମାର ସାଏ ଏବଂ ମୁଖ୍ୟ ବକ୍ତା ଭାବେ ଯୁବ ସ୍ୱେଚ୍ଛାସେବୀ ପ୍ରକାଶ ପ୍ରଧାନ ଯୋଗଦେଇଥିଲେ। ବକ୍ତାମାନେ ଯୁବସମାଜକୁ ନିଶା ନିବାରଣ ଏବଂ ବିକଶିତ ଭାରତ ନିର୍ମାଣ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ପାଇଁ ପ୍ରେରଣାଦାୟୀ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଚେତନତା ସଭାରେ ପଶ୍ଚିମ ବିକାଶ ମଞ୍ଚ, ଚାରଭାଟି ଯୁବକ ସଂଘର ସଦସ୍ୟମାନଙ୍କ ସମେତ ସ୍ଥାନୀୟ ବହୁ ସଂଖ୍ୟକ ଯୁବକ ଓ ଗ୍ରାମବାସୀ ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଶପଥ ଗ୍ରହଣ କରିବା ସହ ଦସ୍ତଖତ ଅଭିଯାନରେ ସକ୍ରିୟ ଭାଗ ନେଇଥିଲେ। କାର୍ଯ୍ୟକ୍ରମର ଶେଷରେ ସ୍ୱେଚ୍ଛାସେବୀ ସଚ୍ଚିଦାନନ୍ଦ ପ୍ରଧାନ ଉପସ୍ଥିତ ସମସ୍ତ ଅତିଥି, ସଦସ୍ୟ ତଥା ଯୁବବନ୍ଧୁମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ