କୋମାରେ ଶୋଇଛି ଭଦ୍ରକ ପୂର୍ତ ବିଭାଗ, ସହରସାରା ଖାଲ, ହାଉଲେ ହାଉଲେ ଚାଲ
ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ପୂର୍ତ ବିଭାଗ କୋମାରେ ଶୋଇ ରହିଛି। ଏବେ ଏହି ବିଭାଗଟି ସଂପୂର୍ଣ୍ଣ ଭାବେ ଠିକାଦାରଙ୍କ ନିୟନ୍ତ୍ରଣରେ ରହିଛି। ସହରାଂଚଳର ରାସ୍ତା ଗୁଡିକର ଦୂରବସ୍ଥା ପୂର୍ତ ବିଭାଗର ନିଷ୍କ୍ରିୟତାକୁ ପଦାରେ ପକାଇଛି। ଆଗରେ ପାର୍ବଣ ଋତୁ । ସହର ତମାମ ଖାଲଢିପରେ ପରିପୂର୍ଣ୍ଣ
KHALA DHIPA SAHARARA RASTAGHATA


ଭଦ୍ରକ, ୨୦ ସେପ୍ଟେମ୍ବର (ହି.ସ.) - ଜିଲ୍ଲା ପୂର୍ତ ବିଭାଗ କୋମାରେ ଶୋଇ ରହିଛି। ଏବେ ଏହି ବିଭାଗଟି ସଂପୂର୍ଣ୍ଣ ଭାବେ ଠିକାଦାରଙ୍କ ନିୟନ୍ତ୍ରଣରେ ରହିଛି। ସହରାଂଚଳର ରାସ୍ତା ଗୁଡିକର ଦୂରବସ୍ଥା ପୂର୍ତ ବିଭାଗର ନିଷ୍କ୍ରିୟତାକୁ ପଦାରେ ପକାଇଛି। ଆଗରେ ପାର୍ବଣ ଋତୁ । ସହର ତମାମ ଖାଲଢିପରେ ପରିପୂର୍ଣ୍ଣ। ଭଦ୍ରକ ଷ୍ଟେଟବ୍ୟାଙ୍କ ଟ୍ରାଫିକ ଛକ ଠାରୁ ଶନିମନ୍ଦିର ଛକ ରାସ୍ତାର ବିଭିନ୍ନ ସ୍ଥାନରେ ଏତେ ବଡ଼ ବଡ଼ ଖାଲ ହୋଇଛି ଯେ ପାଦରେ ଯିବା କଷ୍ଟକର ହୋଇପଡିଛି। ବର୍ଷା ସମୟରେ ଏହି ଖାଲ ଗୁଡିକରେ ବର୍ଷା ଜଳରେ ପୂର୍ଣ୍ଣ ହୋଇଯାଉଛି। ସ୍କୁଟର ଓ ବାଇକ ଚାଳକ ମାନେ ଗାଢ଼ ଗୁଡିକୁ ଜାଣିନପାରି ଦୁର୍ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ଭର୍ତି ହେଉଥିବାର ଅନେକ ଦୃଷ୍ଟାନ୍ତ ରହିଛି। ସେହିପରି ମୋଚିଛକ ଠାରୁ ଭଦ୍ରକର ଆରାଧ୍ୟା ଦେବୀ ମା ଭଦ୍ରକାଳୀକୁ ଯାଇଥିବା ସଡକପଥର ଶୋଚନୀୟ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବନି। ଏହି ରାସ୍ତାର ନିର୍ମାଣ ପାଁଇ ଅଂଚଳବାସୀଙ୍କ ପକ୍ଷରୁ ଅନେକ ଥର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ସହ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସିଥିଲେ ମଧ୍ୟ ସୁଫଳ ଆଜିଯାଏଁ ମିଳିପାରିନାହିଁ। ବିଗତ ୫ବର୍ଷ ଧରି ଏହି ସଡ଼କପଥଟିର ନିର୍ମାଣ ପାଁଇ ଦାବି ହୋଇଆସୁଛି। ପୂର୍ତ ବିଭାଗ ବିଭିନ୍ନ ଆଳ ଦେଖାଇ କାଳକ୍ଷେପଣ ନୀତି ଅବଲମ୍ବନ କରି ଚାଲିଛି। ବନ୍ତଛକର ବାଲେଶ୍ୱର ବସ୍ଷ୍ଟାଣ୍ଡ ନିକଟସ୍ଥ ଆଗରପଡାକୁ ଯାଇଥିବା ରାସ୍ତା ଉପରେ ଏକ ନୂତନ ପୋଲ ନିର୍ମାଣ ଗତ ୪/୫ ବର୍ଷ ଧରି ସରିଥିଲେ ମଧ୍ୟ ସେହି ପେଚ୍ଟିର ଆଜିପର୍ଯ୍ୟନ୍ତ ମରାମତି ହେଉନାହିଁ। ଏଭଳି ଦୂରାବସ୍ଥା ହୋଇଛି ଯେ ଯାନବାହନ ଚଳାଚଳ ସମୟରେ ଧୂଳି ଧୂସର ପରିବେଶ ଯାତ୍ରୀମାନଙ୍କୁ ଅଣନିଶ୍ୱାସୀ କରିପକାଉଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ଦେଇ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଦୈନନ୍ଦିନ ଯାତାୟତ କରୁଥିଲେ ମଧ୍ୟ କାହାରି ନିଘା ପଡୁନଥିବା ଦୁର୍ଭାଗ୍ୟଜନକ। ଏହି ରାସ୍ତାର ମରାମତି ପାଇଁ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସଡକ ସୁରକ୍ଷା ବୈଠକରେ ଜିଲାପାଳଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଆସୁଥିଲେ ମଧ୍ୟ ଆଜିଯାଏଁ ଏହାର ସୁଫଳ ମିଳୁନାହିଁ। ୧୬ନଂ ଜାତୀୟ ରାଜପଥର ଚରମ୍ପାର ଧାମରା ବ୍ରିଜ୍ ତଳ ରାସ୍ତାଟିର ଅବସ୍ଥା ଏବେ କହିଲେ ନସରେ। ବିଶେଷକରି ଜରୁରୀକାଳୀନ ଆମ୍ବୁଲାନ୍ସ ଗୁଡିକ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟତ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ଚରମ୍ପା କଲେଜକୁ ଯାଉଥିବା ଛାତ୍ରଛାତ୍ରୀମାନେ ବିପଦ ସଂକୁଳ ଭାବେ ଏହି ରାସ୍ତା ପାର ହୋଇ ବହୁ ଛୋଟବଡ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ତଥା ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣି ପୀଠକୁ ଯାଇଥିବା ୪୦କିମି ସଡ଼କପଥର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି। ଏହି ପଥରେ ଦୈନିକ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି। ଏହା ବ୍ୟତୀତ ପ୍ରତିଦିନ ଏହି ରାସ୍ତାରେ ବସ୍ ଟ୍ରକ ଟେମ୍ପୋ ଶହ ଶହ ସଂଖ୍ୟରେ ଯାତାୟାତ କରିଥାନ୍ତି। ରାସ୍ତାର ଦୂରାବସ୍ଥା ବାବାଙ୍କ ପୀଠଟିର ପର୍ଯ୍ୟଟନ ସ୍ଥଳୀର ମାନ୍ୟତାକୁ ଉପହାସ କରିଛି। ଖାଲଢିପ ରାସ୍ତାକୁ ନେଇ ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ଉଠିଛି। ଜିଲ୍ଲାର ଏହି ଦୁଇଟି ଦେବାଦେବୀଙ୍କ ଖାଲଖମାରେ ପରିପୂର୍ଣ୍ଣ ସଡ଼କପଥକୁ ଦେଖିଲେ ଜିଲାରେ ବିକାଶର ଅଗ୍ରଗତି କିଭଳି ଚାଲିଛି ତାହା ପ୍ରମାଣିତ କରିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande