
ସୁନ୍ଦରଗଡ଼, ସେପ୍ଟେମ୍ବର ୨୦ (ହି.ସ.) - ଉତରାଂଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନୀ ଭୋଟର ତାଲିକା ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାପାତ୍ରଙ୍କ ସୁନ୍ଦରଗଡ଼ ଗସ୍ତ ଏବଂ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ କାର୍ଯ୍ୟର ତଦାରଖ କରିଛନ୍ତି।
ଜିଲ୍ଲା ରେ ଚାଲିଥିବା ଏସ ଆଇ ଆର୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟ ରେ ପହଂଚିଛି। ଏହି ଅବସରରେ ଆୟୁକ୍ତ ଶ୍ରୀ ମହାପାତ୍ର ସୁନ୍ଦରଗଡ଼ ଗସ୍ତ କରି ଶେଷ ପର୍ଯ୍ୟାୟ ପ୍ରସ୍ତୁତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି।
ଏହି ଅବସରରେ ଆୟୁକ୍ତ ଶ୍ରୀ ମହାପାତ୍ର ଚୂଡ଼ାନ୍ତ ତାଲିକା ପ୍ରସ୍ତୁତି ପୂର୍ବରୁ ସମସ୍ତ ଆପତି ଅଭିଯୋଗ ଗୁଡ଼ିକ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି କି ନାହିଁ, ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ନିମନ୍ତେ ସମସ୍ତ ବୁଥ୍, ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟ, ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟ ଆଦି ରେ ବ୍ୟବସ୍ଥା କରାଯାଇଅଛି କି ନାହିଁ, ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକାକୁ ରାଜନୈତିକ ଦଳ ଗୁଡିକୁ ପ୍ରଦାନ କରିବାକୁ ପ୍ରସ୍ତୁତି, ନୂତନ ଭୋଟର ମାନଙ୍କ ନିମନ୍ତେ ପ୍ରଦାନ କରାଯିବାକୁ ଥିବା ଭୋଟର କାର୍ଡ ଛପା ଯାଇଛି କି ନାହିଁ ଆଦି ଉପରେ ସମୀକ୍ଷା କରିଥିଲେ। ସେହିଭଳି ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ନିର୍ଭୁଲ, ସ୍ୱଚ୍ଛ ଓ ନିରପେକ୍ଷ ଭାବେ କାର୍ଯ୍ୟ କରିବା ଉପରେ ଆଲୋଚନା କରିଥିଲେ।
ବୈଠକରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସୂରଜ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ