
ହାଇଦ୍ରାବାଦ, ସେପ୍ଟେମ୍ବର 22 (ହି.ସ): ରାଜୀବ ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ରିମ୍ସ)-ଆଦିଲାବାଦର ସ୍ପେଶାଲ ନ୍ୟୁବର୍ନ କେୟାର ୟୁନିଟ୍ (ଏସ୍ଏନ୍ସିୟୁ)ରେ ଘଟିଥିବା ଦୁର୍ଘଟଣାରେ ମଙ୍ଗଳବାର ଆଉ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି। ନିଜାମାବାଦର ସରକାରୀ ସାଧାରଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୦ ଦିନର ଶିଶୁକନ୍ୟା ଆଖି ବୁଜିଛି। ଏହା ସହିତ ଏହି ଦୁର୍ଘଟଣାରେ ମୃତ ନବଜାତ ଶିଶୁଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଅଧିକାରୀମାନଙ୍କ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ଶିଶୁଟି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା। ଅବସ୍ଥା ଗୁରୁତର ହେବାରୁ ତାକୁ ନିଜାମାବାଦର ସରକାରୀ ସାଧାରଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ଏସ୍ଏନ୍ସିୟୁର ଏସିରେ ସର୍ଟ ସର୍କିଟ୍ ଯୋଗୁଁ ବିସ୍ଫୋରଣ ଘଟିବା ପରେ ବାହାରିଥିବା ବିଷାକ୍ତ ଧୂଆଁରେ ପ୍ରଭାବିତ ହୋଇଥିବା ୫ ଜଣ ନବଜାତ ଶିଶୁଙ୍କ ମଧ୍ୟରେ ଏହି ଶିଶୁଟି ମଧ୍ୟ ଥିଲା।
ଏହି ଦୁର୍ଘଟଣାରେ ୫ ଦିନର ଜଣେ ନବଜାତ ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଏହା ପରେ ଆଉ ଜଣେ ନବଜାତ ଶିଶୁ ମଙ୍ଗଳବାର ଭୋର୍ ସମୟରେ ଆଦିଲାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲା। ତୃତୀୟ ଶିଶୁକନ୍ୟାର ମୃତ୍ୟୁ ନିଜାମାବାଦର ସରକାରୀ ହସ୍ପିଟାଲରେ ହୋଇଛି।
ଦୁର୍ଘଟଣା ସମୟରେ ପ୍ରାୟ 30 ଜଣ ନବଜାତ ଶିଶୁ ଏସ୍. ଏନ୍. ସି. ୟୁ. ର ଇନକ୍ୟୁବେଟରରେ ଚିକିତ୍ସିତ ହେଉଥିଲେ। ଏସି ବିସ୍ଫୋରଣ ପରେ ୟୁନିଟରେ ଘନ ଧୂଆଁ ଏବଂ ବିଷାକ୍ତ ଗ୍ୟାସ୍ ବ୍ୟାପିଥିଲା। ପ୍ରଭାବିତ ପାଞ୍ଚଟି ନବଜାତ ଶିଶୁକୁ ତୁରନ୍ତ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ନବଜାତ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ମୃତକ ଏବଂ ପ୍ରଭାବିତ ନବଜାତ ଶିଶୁଙ୍କୁ ଚିହ୍ନଟ କରିବାର ପ୍ରକ୍ରିୟା ଚାଲିଛି ବୋଲି ଅଧିକାରୀମାନେ କହିଛନ୍ତି। ରିମ୍ସ ମ୍ୟାନେଜମେଣ୍ଟ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାର କାରଣ ଜାଣିବା ପାଇଁ ବୈଷୟିକ ଦିଗ ମଧ୍ୟ ଅନୁସନ୍ଧାନ କରାଯାଉଛି। ତଦନ୍ତରେ ଯଦି କୌଣସି ପର୍ଯ୍ୟାୟରେ ଅବହେଳା ପରିଲକ୍ଷିତ ହୁଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା