
ପାଟନା, ସେପ୍ଟେମ୍ବର ୨୨ (ହି.ସ.) - ବିହାରର ଜାମୁଇରେ ଜଣେ ନାବାଳକଙ୍କୁ ଅସଦାଚରଣ ମାମଲାର ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବ ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ତାଙ୍କ ଗୋଡରେ ଗୁଳି ବାଜିଛି । ଅନ୍ୟ ଅଭିଯୁକ୍ତ ହରେରାମ ଯାଦବ ପଳାଇବା ସମୟରେ ତାଙ୍କ ଗୋଡରେ ଫ୍ରାକ୍ଚର ହୋଇଥିଲା। ଉଭୟଙ୍କୁ ଜାମୁଇ ସଦର ଡାକ୍ତରଖାନାରେ ଭର୍ତି କରାଯାଇଛି। ଏପର୍ଯ୍ୟନ୍ତ ଏହି ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) (ଆଇନ ଶୃଙ୍ଖଳା) କେ. ଏସ୍. ଅନୁପମ୍ ମଙ୍ଗଳବାର ଦିନ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଦଳ କୁନ୍ଦର ବ୍ୟାରେଜ ନିକଟରେ ଚଢ଼ାଉ କରୁଛି। ଏହି ସମୟରେ ଶ୍ରମିକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଅଭିଯୁକ୍ତମାନେ ପୋଲିସ୍ ଦଳ ଉପରେ ଆକ୍ରମଣ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଏହାପରେ ପୋଲିସ ପାଲଟା ଜବାବ ଦେଇଥିଲା, ଯେଉଁଥିରେ ମୁଖ୍ୟ ଅଭିଯୁକ୍ତ ନନ୍ଦନ ଯାଦବଙ୍କ ଗୋଡରେ ଗୁଳି ବାଜିଥିଲା। ସେହି ସମୟରେ ହରେରାମ ଯାଦବ ଖସି ପଳାଇବା ସମୟରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା। ଉଭୟଙ୍କୁ ଜାମୁଇ ସଦର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।
ଉଭୟ ନନ୍ଦନ ଯାଦବ ଏବଂ ହରେରାମ ଯାଦବ ବୟସ୍କ ବୋଲି ସେ କହିଛନ୍ତି। ଉଭୟ ପ୍ରତାପପୁର ଗାଁର ବାସିନ୍ଦା ଏବଂ ବୃତିରେ ଟ୍ରାକ୍ଟର ଡ୍ରାଇଭର ଅଟନ୍ତି। ପୋଲିସର କହିବା ଅନୁଯାୟୀ, ଗିରଫ ସମୟରେ ନନ୍ଦନ ପୋଲିସ୍ ଦଳ ଉପରେ ଆକ୍ରମଣ କରିଥିଲେ। ପରବର୍ତୀ କାର୍ଯ୍ୟାନୁଷ୍ଠାନରେ ସେ ଆହତ ହୋଇଥିଲେ।
ଘଟଣାର ଗମ୍ଭୀରତାକୁ ବିଚାରକୁ ନେଇ ବିହାର ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶରେ ଅପରାଧିକ ଅନୁସନ୍ଧାନ ବିଭାଗ (ସିଆଇଡି) ଦ୍ୱାରା ମାମଲାର ତଦନ୍ତ ହାତକୁ ନିଆଯାଇଛି। ସିଆଇଡି ସ୍ୱତନ୍ତ୍ର ଦଳ ଜାମୁଇରେ ପହଂଚିଛନ୍ତି ଏବଂ ଘଟଣା ସମ୍ବନ୍ଧୀୟ ସମସ୍ତ ଦିଗକୁ ଯାଂଚ କରୁଛନ୍ତି। ପୋଲିସ ବର୍ତମାନ ଘଟଣା ସମୟରେ ଉପସ୍ଥିତ ଥିବା ଲୋକଙ୍କୁ, ଅଭିଯୁକ୍ତଙ୍କ ଭୂମିକା ଏବଂ ଅନ୍ୟାନ୍ୟ ପରିସ୍ଥିତିକୁ ମଧ୍ୟ ଅନୁସନ୍ଧାନ କରୁଛି।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ