

ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର (ହି.ସ)ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ମଙ୍ଗଳବାର ଜଳ ସଂରକ୍ଷଣକୁ ସାମୂହିକ ଦାୟିତ୍ୱ ବୋଲି ଅଭିହିତ କରି କହିଛନ୍ତି ଯେ, ଜଳ ସୁରକ୍ଷା ମାଧ୍ୟମରେ ହିଁ ଜନସୁରକ୍ଷା ଏବଂ ରାଷ୍ଟ୍ର ସୁରକ୍ଷା ସୁନିଶ୍ଚିତ ହୋଇପାରିବ। ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଗତିରେ ବଢୁଥିବା ସହରୀକରଣ ଏବଂ ଜନସଂଖ୍ୟା ବୃଦ୍ଧି ଜଳ ପରିଚାଳନାର ଆହ୍ୱାନକୁ ଆହୁରି ଜଟିଳ କରିଛି। ଏଭଳି ପରିସ୍ଥିତିରେ ଜଳ ସମ୍ପଦର ସଂରକ୍ଷଣ, ସଂରକ୍ଷଣାଗାରରେ ଗଚ୍ଛିତ କରିବା, ପରିଚାଳନା ଏବଂ ବିବେକପୂର୍ଣ୍ଣ ବ୍ୟବହାର ପାଇଁ ସମଗ୍ର ଦୃଷ୍ଟିକୋଣ ଆବଶ୍ୟକ।
ଉପରାଷ୍ଟ୍ରପତି ରାଧାକୃଷ୍ଣନ ମଙ୍ଗଳବାର ଭାରତ ମଣ୍ଡପମରେ ଆୟୋଜିତ ୯ମ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ-୨୦୨୬ର ଉଦ୍ଘାଟନୀ ସମାରୋହରେ ଉଦ୍ବୋଧନ ଦେଉଥିଲେ। ଉଦ୍ଘାଟନୀ ସମାରୋହରେ ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲ, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମନ୍ନା ଏବଂ ରାଜଭୂଷଣ ଚୌଧୁରୀଙ୍କ ସମେତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ଦେଶ-ବିଦେଶର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷର ଏହି ଆୟୋଜନରେ ୩୫ରୁ ଅଧିକ ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି।
ଉପରାଷ୍ଟ୍ରପତି କହିଛନ୍ତି ଯେ, ଜଳ ହିଁ ଜୀବନ ଏବଂ ସଭ୍ୟତାର ଆଧାର। ଭାରତର ପ୍ରାଚୀନ ସଭ୍ୟତାଗୁଡ଼ିକ ନଦୀକୂଳରେ ବିକଶିତ ହୋଇଥିଲା ଏବଂ ସମୁଦାୟଗୁଡ଼ିକ ଜଳ ସଂରକ୍ଷଣ, ବଣ୍ଟନ ଓ ପରିଚାଳନାର ସମୃଦ୍ଧ ପରମ୍ପରା ବିକଶିତ କରିଥିଲେ। ବିକଶିତ ଭାରତର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଥିବା ସମୟରେ ଏହି ପାରମ୍ପରିକ ଜ୍ଞାନରୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଭାରତ ପାଖରେ ବିଶ୍ୱର ପ୍ରାୟ ୨.୪ ପ୍ରତିଶତ ଭୂମି ଥିବାବେଳେ ଏଠାରେ ବିଶ୍ୱର ପ୍ରାୟ ୧୮ ପ୍ରତିଶତ ଜନସଂଖ୍ୟା ବସବାସ କରୁଛନ୍ତି ଏବଂ ଦେଶ ପାଖରେ ବିଶ୍ୱର ମଧୁର ଜଳ ସମ୍ପଦର ପ୍ରାୟ ୪ ପ୍ରତିଶତ ହିଁ ରହିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷାର ଧାରା ଅନିଶ୍ଚିତ ହେଉଛି। ତେଣୁ ଅତ୍ୟଧିକ ବର୍ଷା ଏବଂ ଦୀର୍ଘକାଳୀନ ମରୁଡ଼ି—ଉଭୟ ପରିସ୍ଥିତିର ମୁକାବିଲା କରିପାରୁଥିବା ବ୍ୟବସ୍ଥା ବିକଶିତ କରିବାକୁ ପଡ଼ିବ।
ଉପରାଷ୍ଟ୍ରପତି ନଦୀ ଅବବାହିକା ପରିଚାଳନା, ଭୂତଳ ଜଳର ପୁନଃଭରଣ, ବର୍ଷାଜଳ ସଂଗ୍ରହ ଏବଂ ଜଳସେଚନରେ ଦକ୍ଷତାକୁ ଏକୀକୃତ ଦୃଷ୍ଟିକୋଣ ଅଧୀନରେ ଆଗେଇ ନେବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ, ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହର ବିଷୟବସ୍ତୁ “ଜଳବାୟୁ ଅନୁକୂଳ ଜଳ ପରିଚାଳନା” ବର୍ତ୍ତମାନର ପରିସ୍ଥିତିରେ ଅତ୍ୟନ୍ତ ପ୍ରାସଙ୍ଗିକ।
ରାଜ୍ୟଗୁଡ଼ିକ ମଧ୍ୟରେ ଜଳ ବଣ୍ଟନକୁ ନେଇ ରହିଥିବା ବିବାଦର ଉଲ୍ଲେଖ କରି ସେ କହିଥିଲେ ଯେ, ଗୋଟିଏ ପଟେ କିଛି ଅଞ୍ଚଳ ମରୁଡ଼ି ଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବାବେଳେ ଅନ୍ୟପଟେ ଦେଶର ଅନ୍ୟ କିଛି ଅଞ୍ଚଳରେ ବନ୍ୟା ଆସୁଛି। ସେ କହିଥିଲେ ଯେ, ମୋଦୀ ସରକାରଙ୍କ ସମୟରେ ଜଳ ବଣ୍ଟନକୁ ନେଇ ୧୦ଟି ଅନ୍ତଃରାଜ୍ୟ ବୁଝାମଣାପତ୍ରରେ ସ୍ୱାକ୍ଷର ହୋଇଛି। ସେ କେନ୍-ବେତୱା ଏବଂ କିଶାଉ ପ୍ରକଳ୍ପକୁ ଅନ୍ତଃରାଜ୍ୟ ସହଯୋଗର ଉଦାହରଣ ଭାବେ ଉଲ୍ଲେଖ କରିଥିଲେ।
ଜଳ ସଂରକ୍ଷଣକୁ ଜନଆନ୍ଦୋଳନରେ ପରିଣତ କରିବାର ଆବଶ୍ୟକତା ଉପରେ ଜୋର ଦେଇ ଉପରାଷ୍ଟ୍ରପତି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ୨୦୨୪ ମସିହାରେ ‘ଜଳ ସଞ୍ଚୟ ଜନ ଭାଗିଦାରୀ’ର ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ୨୦୨୬ ମେ’ ସୁଦ୍ଧା ଦେଶରେ ୧.୫ କୋଟିରୁ ଅଧିକ ଭୂତଳ ଜଳ ପୁନଃଭରଣ ଢାଞ୍ଚା ନିର୍ମାଣ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି ସେଚ ଯୋଜନା, ଜଳ ଜୀବନ ମିଶନ ଏବଂ ଜାତୀୟ ଜଳ ମିଶନ ଭଳି ପଦକ୍ଷେପଗୁଡ଼ିକର ଉଲ୍ଲେଖ କରି ସେ କହିଥିଲେ ଯେ, ଜଳ ସୁରକ୍ଷା ପାଇଁ ବ୍ୟାପକ ଏବଂ ସମଗ୍ର ଦୃଷ୍ଟିକୋଣ ଆବଶ୍ୟକ।
ଉପରାଷ୍ଟ୍ରପତି କହିଥିଲେ ଯେ, ଜଳ ସମ୍ପର୍କିତ ଆହ୍ୱାନଗୁଡ଼ିକର ସମାଧାନ କୌଣସି ଗୋଟିଏ ସଂସ୍ଥା, କ୍ଷେତ୍ର କିମ୍ବା ରାଜ୍ୟ ଏକାକୀ କରିପାରିବ ନାହିଁ। ଏଥିପାଇଁ ବୈଷୟିକ ନବସୃଜନ, ପ୍ରଭାବଶାଳୀ ନୀତି, ବୈଜ୍ଞାନିକ ଜ୍ଞାନ, ସ୍ଥାନୀୟ ଅଭିଜ୍ଞତା ଏବଂ ସମୁଦାୟର ଅଂଶଗ୍ରହଣକୁ ଏକାଠି କରିବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ ଯେ, ଭାରତର ଅନ୍ତର୍ଜାତୀୟ ଜଳ ଆୟୋଜନର ପରିକଳ୍ପନା ୨୦୧୨ ମସିହାରେ ‘ଇଣ୍ଡିଆ ୱାଟର ୱିକ୍’ ନାମରେ ଏକ ପ୍ରମୁଖ ଆୟୋଜନ ଭାବେ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବିଶ୍ୱସ୍ତରୀୟ ଜଳ ଆହ୍ୱାନର ସମାଧାନ କରିବା, ସତତ ବିକାଶକୁ ପ୍ରୋତ୍ସାହନ ଦେବା ଏବଂ ଜଳ କ୍ଷେତ୍ରରେ ନୂତନ ସମାଧାନଗୁଡ଼ିକୁ ପ୍ରଦର୍ଶିତ କରିବା। ସମୟକ୍ରମେ ଏହି ଆୟୋଜନ ସାରା ବିଶ୍ୱର ନୀତି ନିର୍ମାତା, ଗବେଷକ, ଶିଳ୍ପ ଜଗତର ପ୍ରମୁଖ ବ୍ୟକ୍ତିବିଶେଷ ଏବଂ ସମୁଦାୟଗୁଡ଼ିକୁ ଗୋଟିଏ ମଞ୍ଚକୁ ଆଣୁଥିବା ଏକ ପ୍ରମୁଖ ବିଶ୍ୱସ୍ତରୀୟ ମଞ୍ଚରେ ପରିଣତ ହୋଇଛି। ୨୦୧୨ ମସିହାରୁ ଏପର୍ଯ୍ୟନ୍ତ ଇଣ୍ଡିଆ ୱାଟର ୱିକ୍ର ୮ଟି ସଂସ୍କରଣ ଆୟୋଜିତ ହୋଇସାରିଛି। ଏଗୁଡ଼ିକ ହେଉଛି ୨୦୧୨, ୨୦୧୩, ୨୦୧୫, ୨୦୧୬, ୨୦୧୭, ୨୦୧୯, ୨୦୨୨ ଏବଂ ୨୦୨୪। ଏବେ ଏହାର ଆୟୋଜନ ‘ଭାରତ ଅନ୍ତର୍ଜାତୀୟ ଜଳ ସପ୍ତାହ’ ନାମରେ କରାଯାଉଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା