
ଚମ୍ପୁଆ, ୨୩ ସେପ୍ଟେମ୍ବର (ହି.ସ.) - ଚମ୍ପୁଆ ଉପଖଣ୍ଡସ୍ଥ ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାଟାମାଟି ମାଇନ୍ସ ନିକଟରେ ଏକ ବଡ଼ଧରଣର ଡିଜେଲ ଚୋରି ଉଦ୍ୟମକୁ ଡ୍ରାଇଭରମାନେ ସଫଳତାର ସହ ପଣ୍ଡ କରିଛନ୍ତି। ସତର୍କ ଡ୍ରାଇଭରମାନଙ୍କ ହାବୁଡ଼ରେ ପଡ଼ିଯାଇଥିବା ଜଣେ ଡିଜେଲ ଚୋରକୁ ଅଟକ ରଖାଯିବା ସହ ତା'ଠାରୁ ଚୋରି ସାମଗ୍ରୀ ଏବଂ ମାରଣାସ୍ତ୍ର ଜବଦ କରାଯାଇଛି।
ସୂଚନା ଅନୁଯାୟୀ, କାଟାମାଟି ମାଇନ୍ସ ଅଂଚଳରେ ଦୀର୍ଘଦିନ ହେଲା ବିଭିନ୍ନ ଯାନବାହନରୁ ଡିଜେଲ ଚୋରି ହେଉଥିବା ଅଭିଯୋଗ ହୋଇଆସୁଥିଲା। ଗତକାଲି ରାତିରେ ଜଣେ ଚୋର ଡିଜେଲ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଥିବା ଡ୍ରାଇଭର ମାନଙ୍କ ନଜରରେ ପଡ଼ି ଯାଇଥିଲା। ଡ୍ରାଇଭରମାନେ ସାହସିକତାର ସହ ପଦକ୍ଷେପ ନେଇ ଚୋରକୁ କାବୁକରି ଉତମ ମଧ୍ୟମ ଦେବା ସହିତ ଅଟକ ରଖିଥିଲେ। ପରେ ସଙ୍ଗେ ସଙ୍ଗେ ବିଲେଇପଦା ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଖବର ପାଇ ବିଲେଇପଦା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ଅଟକ ଥିବା ଚୋରକୁ ଗିରଫ କରିବା ସହିତ ତା' ନିକଟରୁ ଡିଜେଲ ଚୋରି ସାମଗ୍ରୀ ସମେତ ଏକ ଦେଶୀ ପିସ୍ତଲ, ଭୁଜାଲି ଓ ରେଂଚ ଜବଦ କରାଯାଇଥିଲା। ପରେ ପୋଲିସ ଅଭିଯୁକ୍ତକୁ ଯୋଡ଼ା ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta