ସମ୍ବଲପୁର ମହାନଗର ନିଗମ ଠିକାକୁ ବାହାର ଜିଲ୍ଲାର ଠିକାଦାରଙ୍କୁ ନାଁ
ସମ୍ବଲପୁର ମହାନଗର ନିଗମ ଠିକାକୁ ବାହାର ଜିଲ୍ଲାର ଠିକାଦାରଙ୍କୁ ନାଁ
ସମ୍ବଲପୁର ମହାନଗର ନିଗମ ଠିକାକୁ ବାହାର ଜିଲ୍ଲାର ଠିକାଦାରଙ୍କୁ ନାଁ


ସମ୍ବଲପୁର,୨୩, ସେପ୍ଟେମ୍ବର (ହି.ସ.) କାମ ଭଲ ହେଉନଥିବା ବେଳେ ଉତ୍ତରଦାୟୀ ମଧ୍ୟ କେହି ରହୁନାହାନ୍ତି।

ବେଶ ପ୍ରାଇସରୁ କେହି କମରେ ଟେଣ୍ଡର ନପକାଇବାକୁ ସଂଘର ନିଷ୍ପତ୍ତି।

ବାହାର ଜିଲ୍ଲାର ଠିକାଦାର ପଶିଲେ ଆନ୍ଦୋଳନର ଚେତାବନୀ

ସମ୍ବଲପୁର ମହାନଗର ନିଗମର ସଫେଇ କାର୍ଯ୍ୟ, ରାସ୍ତା ନିର୍ମାଣ, ଇଲେକଟ୍ରୀଫିକେଶନ ଆଦି ଠିକା କାମ ଯେପରି ଅନ୍ୟ ଜିଲ୍ଲାର ଠିକାଦାର ନକରନ୍ତି ଓ ସ୍ଥାନୀୟ ଠିକାଦାର ମାନେ ମୂଳ ଠିକା ରାଶି ଠାରୁ କମ ମୂଲ୍ୟରେ ବିଡ୍ ନପକାନ୍ତୁ ସେଥିପାଇଁ ସମ୍ବଲପୁର ମହାନଗର ନିଗମ ଠିକାଦାର ସଂଘ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।। ସ୍ଥାନୀୟ ଜଗନ୍ନାଥ କଲୋନୀ କ୍ଲବ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ସଂଘର ସଭାପତି ସୁଶାନ୍ତ ପୁରୋହିତ ସ୍ପଷ୍ଟ ଭାବେ କହିଛନ୍ତି ଯେ ମହାନଗର ନିଗମ ଅଞ୍ଚଳରେ କୌଣସି ଜନସୁବିଧା କାର୍ଯ୍ୟ ସୁଚାରୁ ରୂପେ ହେଉନାହିଁ। ରାସ୍ତା ଘାଟ, ନାଳି ନର୍ଦ୍ଦମା ଆଦି ସଫେଇ କାର୍ଯ୍ୟ ଆଦୌ ସନ୍ତୋଷଜନକ ହେଉନାହିଁ ଯାହାର ମୁଖ୍ୟ କାରଣ ହେଉଛି ଜିଲ୍ଲା ବାହାରର ଲୋକ ଠିକା ନେଉଛନ୍ତି। ଠିକା କାର୍ଯ୍ୟକୁ କମ ଟଙ୍କା ରେ ନେ଼ଇ ଉପରଠାଉରିଆ ଭାବେ କରାଯାଉଥିବାରୁ ଏହାର ପରିଣାମ ଭଲ ହେଉନାହିଁ। ରାସ୍ତା ଘାଟ ଠାରୁ ନାଳିନର୍ଦ୍ଦମା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଅବ୍ୟବସ୍ଥିତ ଅବସ୍ଥାରେ ପଡ଼ିରହିଛି ବୋଲି ଶ୍ରୀ ପୁରୋହିତ କହିଥିଲେ। ଯଦି ଆଗାମୀ ସମୟରେ କୌଣସି ବାହାର ଜିଲ୍ଲା ର ଠିକାଦାର ମହାନଗର ନିଗମ ର କୌଣସି ବି ଠିକା ନିଅନ୍ତି ତାହାଲେ ତାଙ୍କୁ ଏଠି କାମ କରାଇବାକୁ ଦିଆଯିବନାହିଁ ବୋଲି ସଂଘ ସମ୍ପାଦକ ସମରଜିତ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଆବଶ୍ୟକ ହେଲେ ଏଥିପାଇଁ ଏସ ଏମ ସି ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ମୂଳ ରାଶିରେ ଠିକା ପାଇଲେ କାମ ଠିକ ହେବ, ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ, କାମ କରାଉଥିବା ଠିକାଦାର ସେହି କାମ ପାଇଁ ଉତ୍ତରଦାୟୀ ମଧ୍ୟ ରହିବ । ବର୍ତମାନ ବାହାର ଜିଲ୍ଲାର ଠିକାଦାର ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସଫେଇ କାର୍ଯ୍ୟ କରୁଛନ୍ତି । ସେମାନଙ୍କର କୌଣସି କାର୍ଯ୍ୟାଳୟ ଏଠାରେ ନାହିଁ। କିଛି ଅଭିଯୋଗ କରିବାକୁ ହେଲେ କେହି ଶୁଣିବାକୁ ମଧ୍ୟ ଏଠାରେ କେହି ନାହିଁ। ତେଣୁ ସଂଘର ନିଷ୍ପତ୍ତି ଯେ ମହାନଗର ନିଗମର ଛୋଟ ରୁ ବଡ ସମସ୍ତ ଠିକା କାର୍ଯ୍ୟ ମହାନଗର ନିଗମ ରେ ବସବାସ କରୁଥିବା ଠିକାଦାର ଙ୍କୁ ଦିଆଯାଉ। କମ୍ ଟଙ୍କାରେ ଠିକାନେଇ ଯେଉଁ କାମ କରାଯାଉଅଛି ତାର ଫଳ ସହରବାସି ଙ୍କୁ ଭୋଗିବାକୁ ପଡୁଛି ତେଣୁ ସଂଘ ପକ୍ଷରୁ ଏହାର ଘୋର ବିରୋଧ କରାଯାଇଛି। ମହାନଗର ନିଗମ ପକ୍ଷରୁ ହେଉଥିବା ସମସ୍ତ ଠିକାରେ ଯେପରି ଶୃଙ୍ଖଳା, ସ୍ବଚ୍ଛତା ଓ ଉତ୍ତଦାୟିତ୍ୱ ରହିବ ତାହା ହିଁ ସଂଘର ମୂଳ ଲକ୍ଷ ବୋଲି ମଧ୍ୟ କୁହାଯାଇଛି। ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ

ଚନ୍ଦ୍ରଭାନୁ ବେହେରା, ମନୋରଞ୍ଜନ ପ୍ରଧାନ, ଫିରୋଜ ଖାନ୍, ଦିନେଶ ଝାଜରିଆ, ଏନ କେ ମୂର୍ଗାନ, ପୁଷ୍ପେସ ମିଶ୍ର, ଅବିନାଶ ନନ୍ଦ, ପାଣ୍ଡବ ମୁଖୀ, ଅଲି ଅକବର୍ ବଣ୍ଟି, ମୋହନ ପଣ୍ଡା, ଅବିନାଶ ମିଶ୍ର , ବିଭୂତି ଭୂଷଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande