
କେନ୍ଦୁଝର, ୨୩ ସେପ୍ଟେମ୍ବର (ହି.ସ.) - ଏମଏମଡିଆର ଆମେଣ୍ଡମେଂଟ ଆକ୍ଟ-୨୦୨୬କୁ ନେଇ ରାଜ୍ୟରେ ରାଜନୈତିକ ବିରୋଧ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ଅକ୍ଟୋବର ୭ ତାରିଖରେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ସମାବେଶ କରାଯିବାକୁ ଘୋଷଣା କରାଯାଇଛି। ଏନେଇ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ବିରୋଧୀ ଦଳ ନେତା ବିଧାୟକ ତାରା ପ୍ରସାଦ ବାହିନୀପତି।
କଂଗ୍ରେସ ନେତାମାନଙ୍କ କହିବା ଅନୁଯାୟୀ, ନୂଆ ଏମଏମଡିଆର ଆଇନରେ ଓଡ଼ିଶାର ଖଣିଜ ସମ୍ପଦ, ରାଜସ୍ୱ ଅଧିକାର ଓ ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଦାବିକୁ ନେଇ ଦଳ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ଜାରି ରହିଛି।
ଆସନ୍ତା ଅକ୍ଟୋବର ୭ ତାରିଖରେ ସ୍ଥାନୀୟ କାଳୀ ପଡ଼ିଆ ଠାରେ ବିକ୍ଷୋଭ ସମାବେଶରେ ରାଜ୍ୟର ରାଜ୍ୟ ସଭାପତି ଭକ୍ତ ଦାସ, ରାଜ୍ୟ ପ୍ରଭାରୀ, ରାଜ୍ୟର ବହୁ ବରିଷ୍ଠ କଂଗ୍ରେସ ନେତା, କର୍ମୀ ଓ ସମର୍ଥକମାନେ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସମାବେଶ ମାଧ୍ୟମରେ ଏମଏମଡିଆର ଆମେଣ୍ଡମେଂଟ ଆକ୍ଟ ପ୍ରତ୍ୟାହାର ଦାବି ଉଠାଯିବା ସହ ରାଜ୍ୟର ଖଣିଜ ସମ୍ପଦ ଓ ଆର୍ôଥକ ଅଧିକାର ସୁରକ୍ଷା ପାଇଁ ଦଳ ନିଜ ଦାବି ରଖିବ। ଏହି ଆଇନକୁ ନେଇ ଓଡ଼ିଶା ବିଧାନସଭାରେ ମଧ୍ୟ କଂଗ୍ରେସ ସମେତ ବିରୋଧୀ ସଦସ୍ୟମାନେ ପ୍ରତିବାଦ କରିଛନ୍ତି।
ସମାବେଶକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ୭ ତାରିଖର ବିକ୍ଷୋଭକୁ ସଫଳ କରିବା ପାଇଁ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦିଆଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ମନୋଜ ଜେନା, ବରିଷ୍ଠ ନେତା ଜୟଦ୍ୱେ ଜେନା ଙ୍କ ସମେତ ବହୁ ରାଜ୍ୟ ତଥା ଜିଲ୍ଲା କଂଗ୍ରେସ ନେତା ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA