
ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର (ହି.ସ.)- ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ନିର୍ଦ୍ଦେଶକ୍ରମେ ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଚାଲିଥିବା ‘ଯାତ୍ରୀ ସେବା ଅଭିଯାନ-୨୦୨୬’ର ଷଷ୍ଠ ଦିବସ ରବିବାର ପାଳିତ ହୋଇଛି। ବିମାନବନ୍ଦରର ଭାରପ୍ରାପ୍ତ ନିର୍ଦ୍ଦେଶକ ଉପେନ୍ଦ୍ରନାଥ ଧଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।
ଏହି ଦିବସରେ ଯାତ୍ରୀଙ୍କ ପାଇଁ ଉପଲବ୍ଧ ଦିଗଦର୍ଶକ ସଙ୍କେତ, ବିମାନ ସୂଚନା ପ୍ରଦର୍ଶନ ପ୍ରଣାଳୀ ଓ ଯାତ୍ରୀ ସୂଚନା ବ୍ୟବସ୍ଥାର ସୁଧାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଟର୍ମିନାଲ ପରିସରରେ ଲାଗିଥିବା ବିଭିନ୍ନ ସଙ୍କେତ ବୋର୍ଡର ଦୃଶ୍ୟମାନତା, ଭାଷାଗତ ସ୍ପଷ୍ଟତା ଓ ସଠିକତା ଯାଞ୍ଚ କରାଯାଇଥିଲା।
ସେହିପରି ବୋର୍ଡିଂ ଗେଟ୍, ବ୍ୟାଗେଜ୍ ବେଲ୍ଟ ଏବଂ ପବ୍ଲିକ୍ ଆନାଉନ୍ସମେଣ୍ଟ ସିଷ୍ଟମ୍ରେ ପ୍ରଦର୍ଶିତ ଓ ପ୍ରସାରିତ ହେଉଥିବା ସୂଚନାର ସଠିକତା ମଧ୍ୟ ଯାଞ୍ଚ କରାଯାଇଥିଲା। ଶୌଚାଳୟ, ପ୍ରସ୍ଥାନ ଦ୍ୱାର, ପରିବହନ ସୁବିଧା ଓ ସହାୟତା କେନ୍ଦ୍ର ଭଳି ପ୍ରମୁଖ ସ୍ଥାନକୁ ଯାତ୍ରୀମାନେ ଯେପରି ସହଜରେ ପହଞ୍ଚିପାରିବେ, ସେଥିପାଇଁ ଟର୍ମିନାଲର ବିଭିନ୍ନ ମାର୍ଗର ସମୀକ୍ଷା କରାଯାଇଥିଲା।
ନିର୍ଦ୍ଦେଶକ ଶ୍ରୀ ଧଣ୍ଡିଆ କହିଛନ୍ତି ଯେ, ବିମାନବନ୍ଦରକୁ ଆସୁଥିବା ଯାତ୍ରୀମାନଙ୍କୁ ସହଜ, ସୁରକ୍ଷିତ ଓ ନିର୍ଭୁଲ ସୂଚନା ଯୋଗାଇବା ପାଇଁ କର୍ତ୍ତୃପକ୍ଷ ପ୍ରତିବଦ୍ଧ। ଯାତ୍ରୀଙ୍କ ସୁବିଧା ଓ ଉନ୍ନତ ସେବା ପ୍ରଦାନ ଉପରେ ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ