ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ
MLA tripathy celebrate Nuakhai Bhetghat in BBSR
ଟଙ୍କଧରଙ୍କ ବାସଭବନରେ ନୂଆଁଖାଇ ଭେଟଘାଟ, ଜମିଲା ପଶ୍ଚିମ ଓଡ଼ିଶାର କଳା


ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର (ହି.ସ.): ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ବୁଧବାର ମହାସମାରୋହରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ରଙ୍ଗାରଙ୍ଗ ସାଂସ୍କୃତିକ ପରିବେଷଣ ସହ ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟର ଝଲକ ଏହି ଆୟୋଜନର ମୁଖ୍ୟ ଆକର୍ଷଣ ପାଲଟିଥିଲା।

କାର୍ଯ୍ୟକ୍ରମରେ ଦିଲୀପ କୁମାର ଦୀପ ଓ ସାଥୀମାନେ ସଂଗୀତ ପରିବେଷଣ କରିଥିଲେ। ସମ୍ବଲପୁରୀ ନୃତ୍ୟର ତାଳେ ମନ୍ତ୍ରୀ, ବିଧାୟକ ଓ ଅତିଥିମାନଙ୍କ ସହ ସାଧାରଣ ଲୋକଙ୍କ ନୃତ୍ୟ ପରିବେଶକୁ ଉତ୍ସବମୁଖର କରିଥିଲା।

ଏହି ଅବସରରେ ବିଧାୟକ ଶ୍ରୀ ତ୍ରିପାଠୀ ଉପସ୍ଥିତ ମନ୍ତ୍ରୀ, ବିଧାୟକ ଓ ଅତିଥିମାନଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ। ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ମହାନ ଗଣପର୍ବ ଏବଂ ଏହା ମାଟି, ମା' ଓ ସଂସ୍କୃତି ସହ ଓତପ୍ରୋତ ଭାବେ ଜଡ଼ିତ ବୋଲି ସେ କହିଥିଲେ। ଏହି ପର୍ବ ଭାଇଚାରା, ଏକତା ଓ ସୌହାର୍ଦ୍ଦ୍ୟକୁ ଆହୁରି ସୁଦୃଢ଼ କରିଥାଏ ବୋଲି ସେ ମତପ୍ରକାଶ କରିଥିଲେ।ଭେଟଘାଟରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସରସତିଆ, ଚାଉଳ ବରା, ଆରିସା ପିଠା, ରସବରା ସମେତ ବିଭିନ୍ନ ବ୍ୟଞ୍ଜନ ପରିବେଷଣ କରାଯାଇଥିଲା। ଅତିଥିମାନେ ଏହି ପାରମ୍ପରିକ ଖାଦ୍ୟର ସ୍ୱାଦ ନେଇଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର ବିଧାୟକ ବାବୁ ସିଂ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ବିଜେପୁର ବିଧାୟକ ସନତ ଗଡ଼ତିଆ, ପାରଳାଖେମୁଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବିଜେଡି ନେତା ଅରୁଣ ସାହୁ, ବ୍ୟୋମକେଶ ରାୟଙ୍କ ସମେତ ୧୦୦ରୁ ଅଧିକ ବିଧାୟକ, ୧୦ରୁ ଅଧିକ ମନ୍ତ୍ରୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଭେଟଘାଟରେ ଯୋଗଦେଇଥିଲେ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପାରମ୍ପରିକ ଖାଦ୍ୟ ଅତିଥିମାନଙ୍କୁ ଆକର୍ଷିତ କରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande