
ମାଲକାନଗିରି , ୨୩ ସେପ୍ଟେମ୍ବର (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଭୀଷଣ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତିକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ନେତୃତ୍ୱରେ ସମ୍ପୂର୍ଣ୍ଣ ଜିଲ୍ଲା ପ୍ରଶାସନିକ କଳ ସଜାଗ ଓ ପ୍ରସ୍ତୁତ ରହିଛି। ଜିଲ୍ଲାପାଳ ସମସ୍ତ ବିଡିଓ, ତହସିଲଦାର ଓ ପ୍ରଶାସନିକ ଅଧିକାରୀମାନଙ୍କୁ ୨୪ ଘଣ୍ଟିଆ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେବା ସହ ନିଜେ ସମ୍ବେଦନଶୀଳ ତଥା ଜଳମଗ୍ନ ଅଞ୍ଚଳ ଓ ସେତୁଗୁଡ଼ିକୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି।
ପ୍ରଶାସନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦେଇ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମା ଗୃହରେ ୭୭ ଜଣ ଗର୍ଭବତୀ ମାଙ୍କୁ ସୁରକ୍ଷିତ ଭାବେ ରଖିଥିବା ବେଳେ ସେମାନଙ୍କ ଜରୁରୀକାଳୀନ ସ୍ଥାନାନ୍ତର ପାଇଁ ଆମ୍ବୁଲାନ୍ସ ସେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ଅପରପକ୍ଷରେ, ବର୍ଷା ଯୋଗୁଁ ଯେଉଁସବୁ ରାସ୍ତାରେ ଗଛ ପଡ଼ିଯାଇଥିଲା, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଓଡ୍ରାଫ୍ ଓ ଅଗ୍ନିଶମ ଦଳ ଦ୍ୱାରା ସେହି ସମସ୍ତ ରାସ୍ତାକୁ ତୁରନ୍ତ ସଫା କରାଯାଇ ଯାତାୟାତ ସ୍ୱାଭାବିକ କରାଯାଇଛି। ଏହାସହ ଜିଲ୍ଲାର ପାଙ୍ଗାମ, କନ୍ୟାଶ୍ରମ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପୋଲ ନିକଟରେ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ସଜାଗ ହୋଇ ରହିଛନ୍ତି।
ଜିଲ୍ଲାର ଗିରକାନପଲ୍ଲୀ, ଢୁଙ୍ଗିଆପୁଟ, ବଦିଲି ଏବଂ ମୋଟୁ ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି। ମାଲକାନଗିରି ଓ ବାଲିମେଳା ପୌରପାଳିକା ସହରର ବିପଦପୂର୍ଣ୍ଣ ତଥା ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ୪ଟି ବହୁମୁଖୀ କେନ୍ଦ୍ର ପ୍ରସ୍ତୁତ ରଖାଯାଇଛି। ଯାତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ବସ୍ଗୁଡ଼ିକୁ ସୁକମା ରୋଡ୍ ଦେଇ ଡାଇଭର୍ଟ କରାଯାଇଛି। ଯଦି ସୁକମା ନିକଟସ୍ଥ ପୋଲ ଜଳମଗ୍ନ ହୁଏ, ତେବେ ଗୋବିନ୍ଦପାଲ୍ଲୀ, ବାଲିମେଳା, ଶିଖପାଲୀ ଏବଂ ଦ୍ରୋନପାଲ ଦେଇ ହାଇଦ୍ରାବାଦ ବସ୍ ଗୁଡ଼ିକ ଯାତାୟାତ କରିବାର ବିକଳ୍ପ ବ୍ୟବସ୍ଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କରାଯାଇଛି।
ପ୍ରତିକୂଳ ପାଗ ଯୋଗୁଁ ସତୀଗୁଡ଼ା, ଚିତ୍ରକୋଣ୍ଡା ଏବଂ ଧନୁର୍ଜୟଗୁଡ଼ାରେ ନୌକା ବିହାର ଓ ଜଳକ୍ରୀଡ଼ାକୁ ଅସ୍ଥାୟୀ ଭାବେ ବ୍ୟାନ କରାଯିବା ସହ ମସ୍ୟଜୀବୀମାନଙ୍କୁ ନଦୀ ବା ଜଳାଶୟ ମଧ୍ୟକୁ ନଯିବା ପାଇଁ ଚେତାବନୀ ଦିଆଯାଇଛି। ପ୍ରଭାବିତ ଅଞ୍ଚଳ ପାଇଁ ପର୍ଯ୍ୟାପ୍ତ ପରିମାଣର ଚାଉଳ, ଡାଲି, ଚୁଡ଼ା, ଗୁଡ଼, ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ମହଜୁଦ ରଖାଯାଇଛି। ହସ୍ପିଟାଲ ଓ ଜରୁରୀକାଳୀନ କାର୍ଯ୍ୟାଳୟଗୁଡ଼ିକୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସଓଡିଏଲ କୁ ନିର୍ଦ୍ଦେଶ ଦିଆଯାଇଛି।
ପରିସ୍ଥିତି ଉପରେ ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ତୀକ୍ଷ୍ଣ ନଜର ରଖିବା ସହ ୨୪ ଘଣ୍ଟିଆ ଜିଲ୍ଲା ଜରୁରୀକାଳୀନ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରୀ କରିଛନ୍ତି। ଯେକୌଣସି ଜରୁରୀକାଳୀନ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର `୦୬୮୬୧-୨୩୧୩୭୨` ଜାରି କରାଯାଇଛି। ଜିଲ୍ଲାପାଳ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ କେହି ବି ଆତଙ୍କିତ ନହୋଇ ସରକାରୀ ନିର୍ଦ୍ଦେଶାବଳୀ ପାଳନ କରନ୍ତୁ ଏବଂ ନିରାପଦ ସ୍ଥାନରେ ରୁହନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ