


ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପା ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏଥିରେ ଯୋଗଦେଇଥିଲେ।
ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଏବଂ ନୋଡାଲ ବିଦ୍ୟାଳୟ ପଥରଚେପାର ଅଧ୍ୟକ୍ଷ ଶ୍ରୀ କ୍ଷମାନିଧି ଝଙ୍କାରଙ୍କ ନେତୃତ୍ୱରେ ଏହି ଭବ୍ୟ ଆୟୋଜନ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ପଣ୍ଡା, ଶ୍ରୀମତୀ ସେବାଶ୍ରୀ ଭୋଇ ଏବଂ ସୁଶ୍ରୀ ରୀନା କୁମାରୀ ବେହେରା ଏବଂ ଓଏଭି ମହିମୁଣ୍ଡାର ପ୍ରଧାନଶିକ୍ଷକ ଶ୍ରୀ ଅଶୋକ ଖଟୁଆ ମଂଚାସୀନ ହୋଇଥିଲେ। ମା’ ସମଲେଇଙ୍କ ପୂଜାର୍ଚ୍ଚନା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଅଲିଭା ଦୀପ ଓ ସିପ୍ଲିସା ଦାସ ମଂଚ ପରିଚାଳନା ଓ ସଂଚାଳନା ଦାୟିତ୍ୱ ସୁଚାରୁ ଭାବେ ତୁଲାଇଥିଲେ।
ଏହି ଅବସରରେ ମୋଟ ୨୨ଟି କନିଷ୍ଠ ଓ ବଶିଷ୍ଠ ବିଭାଗ ର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବଲାଙ୍ଗୀର ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ।
ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପୁରସ୍କାର ବିତରଣ ସମୟରେ ବିଜେତାମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା।
ଅତିଥିମାନେ ନିଜ ଅଭିଭାଷଣରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ, ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ୧୪ଟି ବ୍ଲକର ସମସ୍ତ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ଶିକ୍ଷକ ଶିକଷୟିତ୍ରୀମାନେ ମଧ୍ୟ କାର୍ଯକ୍ରମ ସଂଯୋଜନାରେ ସହଯୋଗ କରି ଉତ୍ସବକୁ ସଫଳ ମଣ୍ଡିତ କରିଥିଲେ।
ସମପାନୀ ପର୍ଯ୍ୟାୟରେ ଶ୍ରୀ ବିଜୟ ରଞ୍ଜନ କର୍ମୀ ଧନ୍ୟବାଦ ଅର୍ପଣ କରି ଅତିଥି, ସମସ୍ତ ଓଏଭି ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଆୟୋଜନରେ ସହଯୋଗ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ଏହିପରି ଭାବେ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସର ଭବ୍ୟ ସମାପନ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ