ଅଜଣା ବୃଦ୍ଧ ଭିକ୍ଷୁକଙ୍କ ଶେଷକୃତ୍ୟ ସାରି ମାନବିକତାର ପରିଚୟ ଦେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ
ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ଜୀବନ ଥିବା ଯାଏଁ ତାଙ୍କର କେହିନଥିଲେ, ଦୁଆର ଦୁଆର ବୁଲି ଭିକ୍ଷା ମାଗିବା ହିଁ ଥିଲା ତାଙ୍କ ନିଇତି ଦିନର କାହାଣୀ। କିନ୍ତୁ ମୃତ୍ୟୁପରେ ସେ ଅନାଥ ହୋଇ ରହିଗଲେ ନାହିଁ। ଜଣେ ଅସହାୟ, ପରିଚୟହୀନ ବୃଦ୍ଧ ଭିକ୍ଷୁକଙ୍କ ମୃତ୍ୟୁପରେ ତାଙ୍କୁ ଆତ୍ମୀୟର ମର୍ଯ୍ୟାଦା ଦେଇ
ଅଜଣା ବୃଦ୍ଧ ଭିକ୍ଷୁକଙ୍କ ଶେଷକୃତ୍ୟ ସାରି ମାନବିକତାର ପରିଚୟ ଦେଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ


ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ଜୀବନ ଥିବା ଯାଏଁ ତାଙ୍କର କେହିନଥିଲେ, ଦୁଆର ଦୁଆର ବୁଲି ଭିକ୍ଷା ମାଗିବା ହିଁ ଥିଲା ତାଙ୍କ ନିଇତି ଦିନର କାହାଣୀ। କିନ୍ତୁ ମୃତ୍ୟୁପରେ ସେ ଅନାଥ ହୋଇ ରହିଗଲେ ନାହିଁ। ଜଣେ ଅସହାୟ, ପରିଚୟହୀନ ବୃଦ୍ଧ ଭିକ୍ଷୁକଙ୍କ ମୃତ୍ୟୁପରେ ତାଙ୍କୁ ଆତ୍ମୀୟର ମର୍ଯ୍ୟାଦା ଦେଇ ସସମ୍ମାନେ ଅନ୍ତିମ ସଂସ୍କାର କରିଛି ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ। ମୁରିବାହାଲ ବ୍ଲକ ଅଂଚଳରେ ଉକ୍ତ ବୃଦ୍ଧ ଜଣକ ଘର ଘର ବୁଲି ଭିକ୍ଷାବୃତି କରି ଗୁଜୁରାଣ ମେଂଟାଉଥିଲେ। କିଛିଦିନ ତଳେ ସେ ଅସୁସ୍ଥ ହୋଇପଡ଼ି ରହିଥିବାବେଳେ ମୁରିବାହାଲ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ପୋଲିସ ତାଙ୍କୁ ପ୍ରଥମେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଥିଲା। ସେଠାରୁ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ପୋଲିସ ପ୍ରଶାସନ ତାଙ୍କ ପରିଚୟ ଖୋଜିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ କୌଣସି ପରିବାର କିମ୍ବା ଆତ୍ମୀୟ ସ୍ୱଜନଙ୍କ ସନ୍ଧାନ ମିଳିନଥିଲା। ନିୟମ ଅନୁଯାୟୀ ଶବ ବ୍ୟବଚ୍ଛେଦ ପରେ ୭୨ ଘଂଟା କାଳ ଶବକୁ ସଂରକ୍ଷଣ ଗୃହରେ ରଖାଯାଇଥିଲା। କୌଣସି ପରିଚୟ ନମିଳିବାରୁ ପୋଲିସ ଶେଷରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନ ସହିତ ଯୋଗାଯୋଗ କରିଥିଲା। ସଂଗଠନର ସଦସ୍ୟମାନେ ହସ୍ପିଟାଲରେ ପହଂଚି ମୃତଦେହକୁ ଗ୍ରହଣ କରିଥିଲେ। ସ୍ୱର୍ଗ ରଥ ଯୋଗେ ମୃତଦେହକୁ ବିଭୂତିପଡ଼ା ଶ୍ମଶାନକୁ ଅଣାଯାଇଥିଲା। ସେଠାରେ ସମ୍ପୂର୍ଣ୍ଣ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଏହି ଶବ ସଂସ୍କାରରେ ବଲାଙ୍ଗୀର ସ୍ୱେଚ୍ଛାସେବୀ ସଂଗଠନର ଉତମ ନନ୍ଦ, ସୁମିତ୍ ମିଶ୍ର, ରବୀନ୍ଦ୍ର ପ୍ରଧାନ, ସରୋଜ ଜାଲ, ସାଗର ଚନ୍ଦନ, ଅଂଶୁମାନ ମିଶ୍ର ଓ ରାକେଶ ବହିଦାର ପ୍ରମୁଖ ଉପସ୍ଥିତ ରହି ସେବା ମନୋଭାବର ଜ୍ୱଳନ୍ତ ଉଦାହରଣ ପ୍ରଦର୍ଶନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande