ଲଗାଣ ବର୍ଷା ପରେ ଧାନ ଚାଷରେ ଚକଡ଼ା ଆତଙ୍କ, ଚାଷୀଙ୍କ ଚିନ୍ତା ବଢ଼ିଲା
Tension for farmers for continuous rain
ଲଗାଣ ବର୍ଷା ପରେ ଧାନ ଚାଷରେ ଚକଡ଼ା ଆତଙ୍କ,


ଝାରସୁଗୁଡ଼ା, 23 ସେପ୍ଟେମ୍ବର (ହି.ସ.): ଲଗାଣ ବର୍ଷା ପରେ ଝାରସୁଗୁଡ଼ା ଜିଲ୍ଲାରେ ଧାନ ଚାଷ ଏବେ ରୋଗପୋକ ସମସ୍ୟାର ସମ୍ମୁଖୀନ ହୋଇଛି। ବିଶେଷକରି ଧାନ ଗଛରେ ଚକଡ଼ା ପୋକର ପ୍ରାଦୁର୍ଭାବ ଦେଖାଦେବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। କୋଲାବିରା, ଲଇକେରା, କିର୍ମିରା, ଝାରସୁଗୁଡ଼ା ଓ ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ଗଛରେ ଚକଡ଼ା ପୋକର ଉପଦ୍ରବ ଧୀରେଧୀରେ ବଢ଼ୁଥିବା ଚାଷୀମାନେ କହିଛନ୍ତି।

ଚକଡ଼ା ପୋକ ଆକ୍ରମଣ ଯୋଗୁଁ ପ୍ରଥମେ ଧାନ ଗଛ ହଳଦିଆ ପଡ଼ିଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଗଛ ଶୁଖି ମରିଯାଉଥିବା ଅଭିଯୋଗ ହେଉଛି। ଗୋଟିଏ ଜମିରୁ ଅନ୍ୟ ଜମିକୁ ଏହା ବ୍ୟାପିବାରୁ ଆଗାମୀ ଦିନରେ ଧାନ ଉତ୍ପାଦନ ପ୍ରଭାବିତ ହେବା ନେଇ ଚାଷୀ ମହଲରେ ଆଶଙ୍କା ପ୍ରକାଶ ପାଇଛି।

କୋଲାବିରା ବ୍ଲକ ଗାୟତ୍ରୀ କୃଷକ ସଂଘର ସଭାପତି ହେମନ୍ତ ସାହୁ କହିଛନ୍ତି ଯେ, ଦୁଇ ମାସରୁ ଅଧିକ ସମୟ ଧରି ଲଗାଣ ବର୍ଷା ଚାଷୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ପ୍ରତିଦିନ ବର୍ଷା ହେଉଥିବାରୁ ଚାଷୀମାନେ ଠିକ୍ ସମୟରେ ସାର ଓ କୀଟନାଶକ ପ୍ରୟୋଗ କରିପାରୁନାହାନ୍ତି। ଏବେ ଧାନ ଗଛରେ ଚକଡ଼ା ପୋକର ପ୍ରାଦୁର୍ଭାବ ଚିନ୍ତାକୁ ଆହୁରି ବଢ଼ାଇଛି।

ଲଇକେରା ବ୍ଲକର ବରିଷ୍ଠ ଚାଷୀ ସୁଶାନ୍ତ ସାହୁଙ୍କ କହିବା ଅନୁସାରେ, ବର୍ତ୍ତମାନ ଅନେକ ଜମିରେ ଧାନ ଗଛ ହଳଦିଆ ଦେଖାଯାଉଛି। ଏହାର ନିରାକରଣ ପାଇଁ କୃଷି ବିଭାଗ ତୁରନ୍ତ ଆବଶ୍ୟକ ପଦକ୍ଷେପ ନନେଲେ ପରିସ୍ଥିତି ଆହୁରି ଗୁରୁତର ହୋଇପାରେ ବୋଲି ସେ କହିଛନ୍ତି।ସେହିପରି ଜିଲ୍ଲା କୃଷକ ସଂଗଠନର ବିରଞ୍ଚି ସାହୁ କହିଛନ୍ତି ଯେ, ଚାଷୀଙ୍କୁ ଆବଶ୍ୟକ ସମୟରେ କୃଷି ବିଭାଗ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନାହିଁ। ଠିକ୍ ସମୟରେ ଉପଯୁକ୍ତ ସାର ଓ କୀଟନାଶକ ନମିଳିବା ଯୋଗୁଁ ଧାନ ଚାଷରେ ରୋଗପୋକ ସମସ୍ୟା ବଢ଼ୁଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ ନନ୍ଦଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ମତାମତ ମିଳିପାରିନାହିଁ। ଧାନ ଚାଷରେ ଚକଡ଼ା ପୋକର ପ୍ରାଦୁର୍ଭାବ ରୋକିବା ସହ ଚାଷୀଙ୍କୁ ଆବଶ୍ୟକ କୀଟନାଶକ ଓ ପରାମର୍ଶ ଯୋଗାଇବାକୁ କୃଷି ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଚାଷୀମାନେ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande