
ଝାରସୁଗୁଡ଼ା, ୨୩ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ଝିର୍ଲାପାଲି ପଂଚାୟତ ଅଂଚଳରେ ବୁଧବାର ମଧ୍ୟାହ୍ନରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଏହି ସମୟରେ ଜେ. ପଣ୍ଡକିମାଲ ୟୁପି ସ୍କୁଲ ପରିସରରେ ଥିବା ଏକ ବିରାଟ ଶାଗୁଆନ ଗଛ ଭାଙ୍ଗି ବିଦ୍ୟୁତ ତାର ଉପରେ ପଡ଼ିବାରୁ ତାର ଛିଣ୍ଡିଯିବା ସହ ଏକ ବିଦ୍ୟୁତ ଖୁମ୍ବ ଭାଙ୍ଗିଯାଇଥିଲା। ବିଦ୍ୟୁତ ତାର ବିଦ୍ୟାଳୟ ପରିସରରେ ପଡ଼ିବାରୁ ଏକ ବଡ଼ ଅଘଟଣରୁ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଅଳ୍ପକେ ବର୍ତିଥିବା ଜଣାପଡ଼ିଛି।
ଘଟଣା ସମୟରେ ବିଦ୍ୟୁତ ତାର ଛିଣ୍ଡି ବିଦ୍ୟାଳୟ ପରିସରରେ ପଡ଼ି ରହିଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଦୀର୍ଘ ସମୟ ଧରି ଶ୍ରେଣୀକୋଠରୀରୁ ବାହାରି ପାରିନଥିଲେ। ଘଟଣାକୁ ନେଇ ସମସ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ପରେ ବିଦ୍ୟାଳୟ ପକ୍ଷରୁ ତୁରନ୍ତ କୋଲାବିରା ବିଦ୍ୟୁତ ବିଭାଗକୁ ଖବର ଦିଆଯାଇଥିଲା।
ସୂଚନା ପାଇବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ କୋଲାବିରା-ଝିର୍ଲାପାଲି ଫିଡର ଲାଇନକୁ ତୁରନ୍ତ ବନ୍ଦ କରାଯାଇଥିଲା। ବିଭାଗୀୟ କର୍ମଚାରୀମାନେ ବିଦ୍ୟାଳୟରେ ପହଂଚି ଗଛରୁ ବିଦ୍ୟୁତ ତାରକୁ ଅଲଗା କରିବା ସହ ଆବଶ୍ୟକ ପଦକ୍ଷେପ ନେଇଥିଲେ।
ଏହି ଘଟଣା ପରେ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟ ପରିସରରେ ବିପଦପୂର୍ଣ୍ଣ ଭାବେ ଥିବା ଗଛ ସମ୍ପର୍କରେ ପୂର୍ବରୁ ପଦକ୍ଷେପ କାହିଁକି ନିଆଯାଇନଥିଲା ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି। ଏହାସହ ବିଦ୍ୟାଳୟ ଉପର ଦେଇ ବିଦ୍ୟୁତ ଲାଇନ୍ ଯାଇଥିବାରୁ ଏହାର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ଦାବି ହୋଇଛି।
ବିଦ୍ୟାଳୟ ପରିସରରେ ଏଭଳି ବିପଜ୍ଜନକ ସ୍ଥିତି ଯେପରି ଭବିଷ୍ୟତରେ ନଘଟେ, ସେଥିପାଇଁ ବିପଦପୂର୍ଣ୍ଣ ଗଛଗୁଡ଼ିକର ଯାଂଚ ସହ ବିଦ୍ୟୁତ ଲାଇନ୍ର ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ଅଭିଭାବକମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଶିକ୍ଷା ବିଭାଗ କିମ୍ବା ବିଦ୍ୟୁତ ବିଭାଗର ଅଧିକୃତ ପ୍ରତିକ୍ରିୟା ମିଳିପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ