ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଜାରି ; ୩୩ ଓଡ୍ରାଫ୍ ଟିମ୍ ମୁତୟନ
- ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଭୁବନେଶ୍ୱର,୨୩ ସେପ୍ଟେମ୍ବର (ହି.ସ)-ଗଭୀର ଅବପାତଜନିତ ପାଣିପାଗ ପରିସ୍ଥିତି ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଷ୍ଟେଟ୍ ଏମରଜେନ୍ସି ଅପରେସନ୍ ସେଂଟର (ଏସଇଓସି)
jvh


- ରାଜସ୍ୱ ମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୩ ସେପ୍ଟେମ୍ବର (ହି.ସ)-ଗଭୀର ଅବପାତଜନିତ ପାଣିପାଗ ପରିସ୍ଥିତି ଏବଂ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଷ୍ଟେଟ୍ ଏମରଜେନ୍ସି ଅପରେସନ୍ ସେଂଟର (ଏସଇଓସି) ସମ୍ମିଳନୀ କକ୍ଷରେ ଉ ଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । କୋରାପୁଟ, ଗଜପତି, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଖୋର୍ଦ୍ଧା, ରାୟଗଡ଼ା, ନୟାଗଡ଼, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମସ୍ତ ପ୍ରଶାସନିକ ପ୍ରସ୍ତୁତିର ସମୀକ୍ଷା କରି ଜନସାଧାରଣଙ୍କ ଧନଜୀବନର ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ବ ସୂଚନା, ପ୍ରସ୍ତୁତି ଏବଂ ତ୍ୱରିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ଭାରତ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଗତ ୬ ଘଂଟା ମଧ୍ୟରେ ଘଂଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି। ୨୩ ସେପ୍ଟେମ୍ବରସକାଳ ୫:୩୦ ଘଂଟା ସୁଦ୍ଧା ଏହା କଳିଙ୍ଗପଟ୍ଟନମଠାରୁ ପ୍ରାୟ ୭୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, ଗୋପାଳପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ, ପୁରୀଠାରୁ ୨୩୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ବିଶାଖାପାଟଣାଠାରୁ ୧୫୦ କିଲୋମିଟର ପୂର୍ବ-ଉତରପୂର୍ବ ଦିଗରେ ରହିଛି। ଏହି ଗଭୀର ଅବପାତ ପଶ୍ଚିମ-ଉତରପଶ୍ଚିମ ଦିଗକୁ ଗତି କରି ୨୩ ସେପ୍ଟେମ୍ବର ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟନମ ନିକଟରେ ଉତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହା ଗଭୀର ଅବପାତ ଭାବେ ଉପକୂଳ ଅତିକ୍ରମ କରିବ। ଏହି ପାଣିପାଗ ପ୍ରଣାଳୀର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

୨୪ ସେପ୍େଟମ୍ବର ସକାଳ ୮:୩୦ ପର୍ଯ୍ୟନ୍ତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ପାଇଁ ରେଡ୍ ୱାର୍ଣ୍ଣିଂ ରହିଥିବା ବେଳେ, ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଗତ ୨୪ ଘଂଟାର ବର୍ଷା ତଥ୍ୟ ଅନୁଯାୟୀ, ରାଜ୍ୟରେ ହାରାହାରି ୩୭.୯ ମିମି ବର୍ଷା ରେକର୍ଡ ହୋଇଛି। ଜିଲ୍ଲାସ୍ତରରେ କୋରାପୁଟରେ ୯୩.୩ ମିମି, ଗଜପତିରେ ୭୯.୨ ମିମି, ବାଲେଶ୍ୱରରେ ୬୧.୮ ମିମି, ନବରଙ୍ଗପୁରରେ ୫୯.୬ ମିମି ଏବଂ ଗଞ୍ଜାମରେ ୫୫.୫ ମିମି ବର୍ଷା ରେକର୍ଡ ହୋଇଛି।

ଏହି ସମୟରେ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ୨୩୦.୨ ମିମି ବର୍ଷା ରେକର୍ଡ ହୋଇଛି। ୧୦୦ ମିମିରୁ ଅଧିକ ବର୍ଷା ରେକର୍ଡ ହୋଇଥିବା ଅନ୍ୟାନ୍ୟ ସ୍ଥାନ ମଧ୍ୟରେ କୋରାପୁଟର ଜୟପୁର ୧୬୧.୬ ମିମି, ରାୟଗଡ଼ାର ଗୁଣୁପୁର ୧୬୦ ମିମି, ଗଜପତିର ମୋହନା ୧୪୫ ମିମି, କୋରାପୁଟର ବୋରିଗୁମ୍ମା ୧୩୮.୨ ମିମି ଏବଂ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି ୧୩୮ ମିମି ରହିଛି।

ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଏବଂ ବଲାଙ୍ଗିରରେ ୧ଟି ଟିମ୍ ମୁତୟନ ହୋଇଛି। ଏହା ବ୍ୟତୀତ ଗଞ୍ଜାମର ଛତ୍ରପୁରସ୍ଥିତ ଓଡ୍ରାଫ୍ ୟୁନିଟ୍ ର ୯ଟି ଟିମ୍ ରିଜର୍ଭ ରଖାଯାଇଛି।

୨୩–୨୪ ସେପ୍ଟେମ୍ବର ମଧ୍ୟରେ ପଶ୍ଚିମ-ମଧ୍ୟ ଓ ସଂଲଗ୍ନ ଉତର-ପଶ୍ଚିମ ବଙ୍ଗୋପସାଗରରେ ୫୫–୬୫ କିମି/ଘଣ୍ଟା ବେଗର ଝଡ଼ୋ ପବନ, ଝଟକା ପବନ ୭୫ କିମି/ଘଂଟା ପର୍ଯ୍ୟନ୍ତ ହୋଇପାରେ। ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତରୁ ଅତ୍ୟନ୍ତ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମସ୍ତ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ ସଂଖ୍ୟା-୩ ଜାରି କରାଯାଇଛି। ୨୪ ସେପ୍େଟମ୍ବର ପର୍ଯ୍ୟନ୍ତ କେନ୍ଦ୍ରୀୟ/ଉତର ବଙ୍ଗୋପସାଗର ଏବଂ ଓଡ଼ିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳ ସମୀପ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ ନିଷେଧ ଜାରି ରହିଛି। ଏହାର ଶତପ୍ରତିଶତ ଅନୁପାଳନ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ସହରାଂଚଳ ଓ ନିମ୍ନାଂଚଳରେ ସ୍ଥାନୀୟ ଜଳବନ୍ଦୀ, ନଦୀ-ନାଳ ଓ ନିଷ୍କାସନ ଚ୍ୟାନେଲରେ ଜଳସ୍ତର ବୃଦ୍ଧି, ସମ୍ବେଦନଶୀଳ ପାହାଡ଼ିଆ ଅଂଚଳରେ ଆକସ୍ମିକ ବନ୍ୟା ଏବଂ ଦକ୍ଷିଣ ଓଡ଼ିଶାର ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ଓ କାଦୁଆ ଧସିବା ଆଶଙ୍କା ରହିଛି। କଚ୍ଚା ଘର, ଠିଆ ଫସଲ ଓ ବଗିଚା ଫସଲ କ୍ଷତିଗ୍ରସ୍ତ ହେବା ସହ ଗଛ ଉପୁଡ଼ି ପଡ଼ିବା ଯୋଗୁଁ ବିଦ୍ୟୁତ୍ ଓ ଟେଲିକମ୍ ଭିତିଭୂମି ପ୍ରଭାବିତ ହୋଇପାରେ।

ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ କଳାହାଣ୍ଡିକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିବା ବେଳେ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଉଚ୍ଚସ୍ତରୀୟ ପ୍ରସ୍ତୁତି ରଖାଯାଇଛି।

ଜିଲ୍ଲା ଓ ବ୍ଲକ୍ ଆପାତକାଳୀନ କାର୍ଯ୍ୟ କେନ୍ଦ୍ରଗୁଡ଼ିକୁ ୨୪ଙ୍ଘ୭ କାର୍ଯ୍ୟରତ ରଖିବା, ସମ୍ବେଦନଶୀଳ ବସତି ଚିହ୍ନଟ କରିବା, ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା ଏବଂ ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଓଡ୍ରାଫ୍, ଏନ୍ଡିଆରଏଫ୍ ଓ ଅଗ୍ନିଶମ ସେବା ଦଳକୁ ପୂର୍ବରୁ ମୁତୟନ ଓ ପ୍ରସ୍ତୁତ ରଖାଯାଇଥିବା ବେଳେ ଉଦ୍ଧାରକାରୀ ନୌକା, ଲାଇଫ୍ ଜାକେଟ୍ ଓ ପାୱାର ବୋଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ଜଳସମ୍ପଦ ବିଭାଗ ପକ୍ଷରୁ ନଦୀ ଓ ଜଳାଶୟର ଜଳସ୍ତର ନିରନ୍ତର ନିରୀକ୍ଷଣ, ସମ୍ବେଦନଶୀଳ ବନ୍ଧ ସ୍ଥାନଗୁଡ଼ିକର ପରୀକ୍ଷା ଏବଂ ଆବଶ୍ୟକସ୍ଥଳେ ନିୟନ୍ତ୍ରିତ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି। ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ନିରୀକ୍ଷଣ, ନିମ୍ନାଂଚଳ ଅଣ୍ଡରପାସ୍ ରେ ଡି-ୱାଟରିଂ ପମ୍ପ ମୁତୟନ ଏବଂ ଆବଶ୍ୟକସ୍ଥଳେ ଟ୍ରାଫିକ୍ ଡାଇଭର୍ସନ୍ ପାଇଁ ମଧ୍ୟ ପ୍ରସ୍ତୁତି ରହିଛି।

ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ୍, ଯୋଗାଯୋଗ, ସଡ଼କ, କୃଷି ଓ ପଶୁସମ୍ପଦ ବିଭାଗକୁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି ସହ ସଜାଗ ରହିବାକୁ କୁହାଯାଇଛି।

ପ୍ରବଳ ବର୍ଷା ଓ ଗଭୀର ଅବପାତର ପ୍ରଭାବକୁ ଦୃଷ୍ଟିରେ ରଖି ଜନସାଧାରଣ ସ୍ଥାନୀୟ ପାଣିପାଗ ସୂଚନା ଓ ପ୍ରଶାସନର ପରାମର୍ଶ ପ୍ରତି ସଚେତନ ରହିବା ସହ ସମ୍ଭାବ୍ୟ ଜଳବନ୍ଦୀ, ଆକସ୍ମିକ ବନ୍ୟା ଓ ଭୂସ୍ଖଳନପ୍ରବଣ ଅଂଚଳରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି।

ରାଜ୍ୟ ଓ ଜିଲ୍ଲା ସ୍ତରରେ ସ୍ଥିତିର ରିଅଲ୍-ଟାଇମ୍ ନିରୀକ୍ଷଣ କରାଯାଉଥିବା ବେଳେ ଭାରି ବର୍ଷା, ଜଳବନ୍ଦୀ, ଆଶ୍ରୟସ୍ଥଳ, ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ, ଉଦ୍ଧାରକାରୀ ଦଳର ମୁତୟନ ଏବଂ ଜଳାଶୟର ସଂରକ୍ଷଣ ସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ସ୍ପେଶାଲ୍ ରିଲିଫ୍ କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଆଇଏମଡି ଆଞ୍ଚଳିକ ନିର୍ଦ୍ଦେଶକ ଡ. ମନୋରମା ମହାନ୍ତି, ଅଗ୍ନିଶମ ସେବା ବିଭାଗର ଆଇଜି ଶ୍ରୀ ଉମା ଶଙ୍କର ଦାସ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଦିଲୀପ ରାଉତ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲା ବେଳେ ସମ୍ପୃକ୍ତ ଜିଲ୍ଲାମାନଙ୍କର ଜିଲ୍ଲାପାଳ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀବୃନ୍ଦ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande