ପ୍ରତିକୂଳ ବର୍ଷା ପାଗ ସତ୍ୱେ ଲକ୍ଷାଧିକ ଭକ୍ତଙ୍କ ସମାଗମ, ବଡ ସରକାର ବାବାଙ୍କ ୧୨ ତମ ଫାତେହା ଓ ମୁଶାଏରା ସମାରୋହ
ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାରନଗର ଖାନକାହା ଠାରେ ଗତକାଲି ବିଶିଷ୍ଟ ଧର୍ମଗୁରୁ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୨ ତମ ବାର୍ଷିକ ଫାତେହା ଓ ମୁଶାଏରା ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷାକୁ ଖାତିର ନ କରି ଲକ
BADA SARKAR BABA FATEHA


ଭଦ୍ରକ, ୨୪ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାରନଗର ଖାନକାହା ଠାରେ ଗତକାଲି ବିଶିଷ୍ଟ ଧର୍ମଗୁରୁ ସୁଫି ହଜରତ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୨ ତମ ବାର୍ଷିକ ଫାତେହା ଓ ମୁଶାଏରା ପାଳିତ ହୋଇଯାଇଛି । ପ୍ରତିକୂଳ ପାଗ ଓ ପ୍ରବଳ ବର୍ଷାକୁ ଖାତିର ନ କରି ଲକ୍ଷାଧିକ ଶ୍ରଦ୍ଧାଳୁ ଆମ ରାଜ୍ୟ ସହିତ କଲିକତା , ବିହାର, ଝାଳଖଣ୍ଡ , ହଇଦ୍ରାବାଦ, ଦିଲ୍ଲୀ, ଆଲ୍ଲାହାବାଦ , ମୁମ୍ବାଇ ଓ କାଶ୍ମୀରରୁ ଭକ୍ତମାନେ ଜନସମୁଦ୍ର ଭଳି ଆସି ପହଂଚିଥିଲେ । ପ୍ରତ୍ୟେକ ଭକ୍ତ ସଦଭାବନାର ପ୍ରତୀକ ଓ ଭାଇଚାରାକୁ ବଜାୟ ରଖି ଶାନ୍ତିଶୃଙ୍ଖଳା ସହିତ ଉତ୍ସବକୁ ସଫଳ କରିଥିଲେ । ଉତ୍ସବର ପୂର୍ବଦିନ ବୁଧୁବାରରେ ଗୁଲସନେ ଗୌସପାକ ଟ୍ରଷ୍ଟ ଖାନକାହା ଠାରେ ସଭାପତି ହାଜି ହାଫିଜ଼ ମହମ୍ମଦ ଇସହାକ , ସମ୍ପାଦକ ଶେଖ ଅତା ମୋହିଦ୍ଦିନଙ୍କ ସଂଯୋଜନାରେ ଶିରିଣୀ ଭୋଗ ପାଇଁ ଫଳ ସାମଗ୍ରୀ ପହଂଚାଇ ଦେଇଥିଲେ ଏବଂ ଫଳ କଟା ଆରମ୍ଭ ହୋଇଥିଲା । ଅର୍ଦ୍ଧରାତ୍ରିରେ ବଡ ବାବାଙ୍କ ମଜାର (ସମାଧି) ପୀଠରେ ଜଳଲାଗି ଗୋସାଲଖନୀ (ସ୍ନାନ) କରି କମିଟି ତରଫରୁ ଫୁଲ ଚାଦର ଚଢା ଯାଇଥିଲା । ଗୁରୁବାର ସକାଳ ନମାଜ ପାଠ ସାରି କୁରାନଖାନୀ , ମିଲାଦ ସରିଫ ଏବଂ ବାର୍ଷିକ ଫାତେହା' ଉତ୍ସବ ହୋଇ ସମସ୍ତ ଭକ୍ତ ମାନଙ୍କୁ ଫଳପ୍ରସାଦ ବଂଟନ କରାଯାଇଥିଲା । ଏହି ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତମାନେ ଆସି ବାବାଙ୍କ ଦର୍ଶନ କରିଛନ୍ତି ଏବଂ ଭଦ୍ରକ ଏକ ଭାଇଚାରା ସହର ରହିଥିବାରୁ ଏଠି କୌଣସି ଭେଦଭାବ ରହେ ନାହିଁ ଓ ଉତ୍ସବ ଦିନ ସକାଳରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଚାଦର ଶୋଭାଯାତ୍ରା କରି ମଜାରରେ ଫୁଲ ଚାଦର ଚଢ଼ାଇଥିଲେ । ଏହି ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗଦାନ କରି ବାବାଙ୍କୁ ଦର୍ଶନ କରିଥିଲେ । ବଜ଼ମେ ହବିବ କମିଟିର ସଭାପତି ପୂର୍ବତନ ପାରିଷଦ ଅସରଫ ଅଲି ଖାନ, ସମ୍ପାଦକ ଇମତୀୟାଜ ଅଲି ଖାନ ଓ ମିର୍ଜା ଏକ୍ରାମ ବେଗଙ୍କ ସଂଯୋଜନାରେ ଭକ୍ତମାନଙ୍କୁ ଲଙ୍ଗର ର ବ୍ୟବସ୍ତା କରିଥିଲେ । ଭକ୍ତ ମାନଙ୍କ ପାଇଁ ଖାନକାହାଠାରେ ବିଭିନ୍ନ କମିଟି ତରଫରୁ ମାଗଣା ଚାହା ଓ ସର୍ବତ ଷ୍ଟଲ , ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରିଥିଲେ । ଖାନକାହା ଠାରେ ରଙ୍ଗ ବେରଙ୍ଗର ଆଲୋକ ଓ ଆକର୍ଷଣୀୟ ଗେଟ କରାଯାଇଥିଲା ଏବଂ ତିନିଶହ ରୁ ଉର୍ଦ୍ଧ ଦୋକାନର ମେଳା ପସରା ଜମିଥିଲା ଓ କାଦରୀ ବିରାଦରାନ ଆନୁକୂଲ୍ୟରୁ ରାତ୍ରି ୮ ଘଟିକା ଠାରୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ଜାତୀୟ ସ୍ତରର ଉର୍ଷେ-କାଦରିଆରେ ଧର୍ମସଭା ଓ ମୁଶାଏରା ଅନୁଷ୍ଠିତ ହୋଇଥିଲା । ଏହି ମୁଶାଏରାରେ କମିଟିର ଉପଦେଷ୍ଟା ଶେଖ ହବିବୁଲ୍ଲା, ସଭାପତି ଜୋ୍ୱଦ ଅଖତର , ସମ୍ପାଦକ ଅଖତର ଅଲି ଖାନ, କାର୍ଯ୍ୟକାରୀ ସଭାପତି ଶେଖ ଜାଫର ଓ ଶେଖ ନିୟାମାତୁଲ୍ଲା, ନ୍ୟାାବ ଅଖତର କାଦରୀ ଓ ଆଦିଲ କାଦରୀ ଙ୍କ ସଂଯୋଜନାରେ ଓ ମାଷ୍ଟର କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଆରମ୍ଭ ହୋଇଥିଲା । ଏହି ଧର୍ମସଭାରେ ଆନ୍ତର୍ଜାତିକ ମୌଲାନା (ପଣ୍ଡିତ) ଖତିବେ ଆଜମ ସୈୟଦ ମହମ୍ମଦ ରାସିଦ ମାକ୍କୀ (କିଛୋଛା ସରିଫ), ଡ. ସୈୟଦ ଜିଆଉଦ୍ଦିନ ନକ୍ସବନ୍ଦୀ (ହଇଦ୍ରାବାଦ), ବରିଷ୍ଟ କବି ସୈୟଦ ଶଜର ଅଲି ମକନପୁରୀ (ୟୁପି) ଏବଂ ୫୦ ରୁ ଉର୍ଦ୍ଧ ମୌଲାନା(ପଣ୍ଡିତ), ଓ ସାଏର (କବି) ମାନେ ଯୋଗଦାନ କରି ବଡ଼ ସରକାର ବାବାଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ନିଜର ଦାୟିତ୍ୱ ଭଲ ଭାବେ ତୁଲାଇଥିଲେ ଏବଂ ବାବାଙ୍କ ସମସ୍ତ ଭକ୍ତଙ୍କୁ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande