
ନୂଆପଡ଼ା, ୨୪ ସେପ୍େଟମ୍ବର (ହି.ସ)- ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥା (ଡୁଡା)ର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପିଡି, ଡୁଡା ତଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ସ୍ୱାଗତ ଜଣାଇବା ସହ ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ଅବଗତ କରାଇଥିଲେ।
ବୈଠକରେ ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍ଏସିର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଆର୍ôଥକ ସ୍ଥିତି, ରାଜସ୍ୱ ଆଦାୟ, ସହରାଂଚଳ ଭିତିଭୂମି ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମେତ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରାଯାଇଥିଲା।
ଜିଲ୍ଲାର ସମସ୍ତ ତିନିଟି ବିଜ୍ଞାପିତ ଅଂଚଳ ପରିଷଦ (ଏନ୍ଏସି)ରେ ବରିଷ୍ଠ ନାଗରିକଙ୍କ ଅବସର ବିନୋଦ ଓ ସାମାଜିକ ମିଳନ ପାଇଁ ‘ଗପସପ’ ନାମରେ ସ୍ୱତନ୍ତ୍ର କୋଣ ବିକଶିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ଏନ୍ଏସି ଉପଯୁକ୍ତ ସ୍ଥାନ ଚିହ୍ନଟ କରି ଏହାକୁ ବିକଶିତ କରିବାକୁ ସେ କହିଥିଲେ।
ନୂଆପଡ଼ା ସହରର ଗାନ୍ଧୀ ଉଦ୍ୟାନର ନବୀକରଣ ଏବଂ ନୂତନ ମାର୍କେଟ୍ କମ୍ପେ୍ଲକ୍ସର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପାଦନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ସହରାଂଚଳରେ ଥିବା ବେଆଇନ ନିର୍ମାଣଗୁଡ଼ିକୁ ନିୟମାନୁଯାୟୀ ଉଚ୍ଛେଦ କରିବା ସହ ଅନୁମୋଦନବିହୀନ ନିର୍ମାଣକୁ ବିଦ୍ୟୁତ୍ ସଂଯୋଗ ନଦେବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ଏନ୍ଏସିଗୁଡ଼ିକରେ ଭଡ଼ା ବାବଦରେ ଆଦାୟ ହେଉଥିବା ରାଜସ୍ୱକୁ କମ୍ୟୁନିଟି ହଲର ବିକାଶ ଓ ରକ୍ଷଣାବେକ୍ଷଣରେ ବିନିଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ତିନି ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିକାଶମୂଳକ ଭିଜନ୍ ଓ କାର୍ଯ୍ୟଯୋଜନା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଥିଲେ।
ଏକକ-ବ୍ୟବହାର ପ୍ଲାଷ୍ଟିକମୁକ୍ତ ସହର ଗଠନ ଦିଗରେ ଠୋସ ପଦକ୍ଷେପ ନେବାକୁ ସେ ଗୁରୁତ୍ୱାରୋପ କରିଥିଲେ।
‘ୱାର୍ଡରେ ପୌର ପ୍ରଶାସନ’ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଅଧିକାରୀ ଓ କର୍ମଚାରୀମାନେ ସାଇକେଲରେ ୱାର୍ଡ ପରିଦର୍ଶନ କରି ନାଗରିକଙ୍କ ସମସ୍ୟା ଓ ଆବଶ୍ୟକତା ଅନୁଧ୍ୟାନ କରିବାକୁ ଜିଲ୍ଲାପାଳ କହିଥିଲେ।
ସହରାଂଚଳର ଖାଲି ସ୍ଥାନଗୁଡ଼ିକୁ ଚିହ୍ନଟ କରି ଲ୍ୟାଣ୍ଡସ୍କେପିଂ ମାଧ୍ୟମରେ ସୌନ୍ଦର୍ଯ୍ୟୀକରଣ କରିବା ସହ ସହରର ପରିବେଶ ଓ ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ଯୋଜନାବଦ୍ଧ ପଦକ୍ଷେପ ନେବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଉତମ ଟିକସ ଆଦାୟ ପାଇଁ ଟିକସ ସଂଗ୍ରାହକ ତୁକାରାମ ସାହୁ, ପ୍ରତାପ ବାଗ ଓ ବୃଷପର୍ବ ସିଂହ ବାବୁଙ୍କୁ ସମ୍ମାନିତ କରାଯାଇଥିଲା।
ବୈଠକରେ ନୂଆପଡ଼ା ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଖଡ଼ିଆଳ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଧୀନ ମହାରଣା, ଖରିଆର ରୋଡ୍ ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ଡୁଡାର ଅଧିକାରୀ ଓ କର୍ମଚାରୀ, ମ୍ୟୁନିସିପାଲ ଇଞ୍ଜିନିୟର ଓ ଏମ୍ଆଇଏସ୍ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ