
ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଭଇସାଦାନି ପଞ୍ଚାୟତର ଭଇସମୁଣ୍ଡି (ବାହୁଦପାଣି) ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହକୁ ଆଜି ବୋଡ଼େନ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ଜଣକ ଧନସିଂ ପହରିଆଙ୍କ ସ୍ତ୍ରୀ ରାଜମଣି ପହରିଆ (୨୫) ବୋଲି ଜଣାପଡ଼ିଛି। ପରିବାରବର୍ଗଙ୍କ ସୂଚନା ଅନୁଯାୟୀ, ରାଜମଣି ନିକଟସ୍ଥ ଜଙ୍ଗଲକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା। ପରେ ଘଟଣା ସମ୍ପର୍କରେ ଜାଣିବା ପରେ ପୂର୍ବତନ ସମିତିସଭ୍ୟ ସୈଦାଗର ସାହୁ ବୋଡ଼େନ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ବୋଡ଼େନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହ ଜବତ କରିଥିଲା। ପରେ ମୃତଦେହର ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ରାଜମଣିଙ୍କ ମୃତ୍ୟୁ ପଛରେ ପ୍ରକୃତ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ବୋଡ଼େନ ଥାନା ଅଧିକାରୀ ଧର୍ମେନ୍ଦ୍ର ଭୁଏଙ୍କୁ ପଚାରିବାରୁ, ଘଟଣାର ଅଧିକ ତଦନ୍ତ ଜାରି ରହିଛି ଏବଂ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ