
ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନା ଦିବସ ଆଜି ପାଳିତ ହୋଇଯାଇଛି । ଜିଲ୍ଲା ତଥା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ପ୍ରଣତି ପଣ୍ଡା ଏହି ଦିବସ ପାଳନର ଆଭିମୁଖ୍ୟ ଉପରେ ତଥ୍ୟ ପ୍ରଦାନ କରିଥିଲେ । ଅତିଥି ଭାବରେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ସୁନୀଲ କୁମାର ପାଢୀ, ପରୀକ୍ଷା ନିୟନ୍ତ୍ରକ ରଣବୀର ସିଂହ, ଛାତ୍ର କଲ୍ୟାଣ ଅଧିକାରୀ ଗୀତାଶ୍ରୀ ପ୍ରିୟମ୍ବଦା, ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ରାଜଲକ୍ଷ୍ମୀ ରଥ ପ୍ରମୁଖ ଜାତୀୟ ସେବା ଯୋଜନା ଦିବସ ପାଳନର କାରଣ, ଗୁରୁତ୍ୱ, ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ଏହି ଅନୁକୂଲ୍ୟରେ ଏକ ଦିବସିୟ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଶତବାର୍ଷିକୀ ଅବସରରେ ୧୯୬୯ରେ ପ୍ରଣିତ ଜାତୀୟ ସେବା ଯୋଜନା ମୋ ପାଇଁ ନୁହେଁ ତୁମ ପାଇଁ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇଥାଏ ବୋଲି ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିଷ୍କାର ସ୍ୱଚ୍ଛତା, ନିଶା ନିବାରଣ, ତମାଖୁ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପରିବେଶ ଯାହା ଜୀବ ଜଗତକୁ ସୁସ୍ଥ ,ସୁରକ୍ଷିତ ରଖିପାରିବ ଏ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।ଉକ୍ତ ମହାବିଦ୍ୟାଳୟକୁ, ସହରକୁ, ଜିଲାର ପ୍ରଦୂଷଣ ନିୟନ୍ତ୍ରଣ ତଥା ପରିବେଶକୁ ନିର୍ମଳ ବାତାବରଣ ସୃଷ୍ଟି କରିବା ପାଇଁ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଆହ୍ୱାନ କ୍ରମେ ସମସ୍ତେ ସଂକଳ୍ପ ନେଇଥିଲେ । ପରିଶେଷରେ ଯୁକ୍ତ ଦୁଇ ଯୋଜନା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ