

ସମ୍ବଲପୁର, ୨୪, ସେପ୍େଟମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବିଭିନ୍ନ ସମସ୍ୟାକୁ ନେଇ ଆଜି କୁଚିଣ୍ଡା କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ବନ୍ଦ ଡାକରା ଦିଆଯାଇଛି। ଝୁଲେନପୋଲ ବ୍ରିଜ୍ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିବା, ମହୁଲଡିହି-ଲସା ବ୍ରିଜର ଆପ୍ରୋଚ୍ ରୋଡ୍ କାମ ଅଧପନ୍ତରିଆରେ ପଡ଼ି ରହିବା ସହ ଟିପିଡବ୍ଲୁଓଡିଏଲ୍ର ବାରମ୍ବାର ବିଦ୍ୟୁତ୍ କାଟ୍ ଯୋଗୁଁ ପାନୀୟ ଜଳ ଓ କୃଷି କାର୍ଯ୍ୟ ପ୍ରଭାବିତ ହେଉଥିବା ଅଭିଯୋଗରେ ଏହି ବନ୍ଦ୍ ଡାକରା ଦିଆଯାଇଛି। କୁଚିଣ୍ଡାର ବିଭିନ୍ନ ସମସ୍ୟାକୁ ନେଇ ତେଜିଛି ପ୍ରତିବାଦ। କୁଚିଣ୍ଡା ଝୁଲେନପୋଲ ବ୍ରିଜର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା ବେଳେ ମହୁଲଡିହି-ଲସା ବ୍ରିଜର ଆପ୍ରୋଚ୍ ରୋଡ୍ର କାମ ମଧ୍ୟ ଶେଷ ହୋଇନଥିବା ଅଭିଯୋଗ ହୋଇଛି। ସେହିପରି ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ବାରମ୍ବାର ବିଦ୍ୟୁତ୍ କାଟ ଯୋଗୁଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହେଉଥିବା ଏବଂ କୃଷି କାର୍ଯ୍ୟରେ ମଧ୍ୟ ଜଳ ଯୋଗାଣ ପ୍ରଭାବିତ ହେଉଥିବା ଅଭିଯୋଗ କରିଛି ନଗର କଂଗ୍ରେସ। ଏସବୁ ସମସ୍ୟାର ସମାଧାନ ଦାବିରେ କୁଚିଣ୍ଡା ନଗର କଂଗ୍ରେସ ପକ୍ଷରୁ ୧୨ ଘଂଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ ଜରୁରୀ ସେବାକୁ ବାଦ୍ ଦେଇ ଦୋକାନବଜାର, ଗାଡ଼ି ଚଳାଚଳ ସମେତ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି କୁହାଯାଇଛି। କୁଚିଣ୍ଡାର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ନଗର କଂଗ୍ରେସର ଏହି ବନ୍ଦ ଡାକରାକୁ ନେଇ କୁଚିଣ୍ଡାରେ ରାଜନୈତିକ ତାତି ବଢ଼ିଛି। ଏବେ ପ୍ରଶାସନ ପକ୍ଷରୁ ଏହି ସମସ୍ୟାଗୁଡ଼ିକର ସମାଧାନ ଦିଗରେ କି ପଦକ୍ଷେପ ନିଆଯାଉଛି, ତା’ ଉପରେ ନଜର ସମସ୍ତଙ୍କର ରହିଛି । ଏହି ବନ୍ଦ କାର୍ଯ୍ୟକ୍ରମ ରେ କୁଚିଣ୍ଡା କଂଗ୍ରେସର ଅଖିଳ ପ୍ରତାପ ସିଂ, କେଦାର ନାଥ ବରିହା, ଟୁନା ମହାନନ୍ଦ, ଟୁଲୁ ଶର୍ମା, ଦୀପା ସାହୁ, ଆଶିଷ କୁମାର ସିଂଙ୍କ ସମେତ କଂଗ୍ରେସର ଶତାଧିକ କର୍ମକର୍ତା ଓ ସମର୍ଥକ ଯୋଗଦେଇ ଆଜିର କୁଚିଣ୍ଡା ବନ୍ଦକୁ ସଫଳ କରିଥିଲେ ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ