


ସମ୍ବଲପୁର , ୨୪, ସେପ୍ଟେମ୍ବର (ହି.ସ.) ଗ୍ରାହକଙ୍କ କେୱାଇସି ତଥ୍ୟ ଓ ଦସ୍ତାବିଜର ଅପବ୍ୟବହାର କରି ବେଆଇନ ଭାବେ ଅତିରିକ୍ତ ସିମ୍ କାର୍ଡ ସୃଷ୍ଟି ଓ ବିକ୍ରି କରାଯାଉଥିବା ଏକ ମାମଲାର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୁଲିସ। ଏହି ସିମ୍ କାର୍ଡଗୁଡ଼ିକ ଝାଡ଼ଖଣ୍ଡର ଜାମତାଡ଼ାରେ ସାଇବର ଅପରାଧ ପାଇଁ ବ୍ୟବହୃତ ହେଉଥିବା ସନ୍ଦେହ କରାଯାଉଛି।
ତଦନ୍ତ ସମୟରେ ପୋଲିସ ୧୨୦ଟି ସିଲ୍ ହୋଇଥିବା ଏୟାରଟେଲ୍ ସିମ୍ କାର୍ଡ, ୪ଟି ମୋବାଇଲ୍ ଫୋନ୍, ୩ଟି ବ୍ୟାଙ୍କ ପାସ୍ବୁକ୍, ଗୋଟିଏ ଏସ୍ବିଆଇ ଚେକ୍ବୁକ୍ ଏବଂ ଗୋଟିଏ ଫୋନ୍ପେ କ୍ୟୁଆର୍ କୋଡ୍ ସ୍କାନର ଜବତ କରିଛି। ଏହା ସହିତ ଏୟାରଟେଲ୍ ସିମ୍ କାର୍ଡ ସମ୍ପର୍କିତ ୧୦ଟି ପ୍ରଚାରପତ୍ର, ୪ଟି ଏୟାରଟେଲ୍ ୫ଜି ପ୍ଲସ୍ ସାଇନ୍ବୋର୍ଡ, ୪ଟି ସତ୍ୟପାଠ ଓ ଗୋଟିଏ ଘରଭଡ଼ା ଚୁକ୍ତିନାମା ମଧ୍ୟ ଜବତ ହୋଇଛି।
ଏନେଇ ସମ୍ବଲପୁର ସାଇବର ଥାନାରେ ୨୨ ସେପ୍ଟେମ୍ବର ୨୦୨୬ରେ ମାମଲା ନମ୍ବର ୩୪ ରୁଜୁ କରାଯାଇଛି। ବିଏନ୍ଏସ୍ର ଧାରା ୩୧୯(୨), ୩୩୬(୩), ୩୪୦(୨), ୬୧(୨), ୩(୫) ଏବଂ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬(ସି) ଓ ୬୬(ଡି) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଏହି ବେଆଇନ ସିମ୍ କାର୍ଡ କାରବାରର ସମ୍ପୂର୍ଣ୍ଣ ନେଟ୍ୱର୍କ, ଆର୍ଥିକ କାରବାର ଓ ସାଇବର ଅପରାଧ ସହ ଏହାର ସମ୍ପର୍କ ଜାଣିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
ତଦନ୍ତ ବେଳେ କେତେକ ସିମ୍ କାର୍ଡ ପପୁ ଓରଫ ଶେଖ ପରୱେଜଙ୍କୁ ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ସେଗୁଡ଼ିକୁ ଝାଡ଼ଖଣ୍ଡର ଜାମତାଡ଼ାରେ ସାଇବର ଅପରାଧ ପାଇଁ ବ୍ୟବହାର ଉଦ୍ଦେଶ୍ୟରେ ଅନ୍ୟମାନଙ୍କୁ ଯୋଗାଇ ଦିଆଯାଇଥିବା ଅଭିଯୋଗ ରହିଛି। ଏହି ବେଆଇନ କାରବାରରୁ ମିଳୁଥିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ମଧ୍ୟରେ ବଣ୍ଟନ କରାଯାଉଥିବା ପୁଲିସ ସନ୍ଦେହ କରୁଛି।
ତିନି ଅଭିଯୁକ୍ତଙ୍କ ମଧ୍ୟରେ ଧମା ଥାନା ପଞ୍ଚଫୁଟ ଗ୍ରାମର ସୂରଜ ବାଗ୍, ହୀରାକୁଦ ଥାନା ସିଙ୍ଘପାଲି ଗ୍ରାମର ମାଳତୀ ଓରାମ ଓରଫ ମାଳା ଓ ଧନୁପାଲି ଥାନା, ମୋତିଝରଣ ଅଞ୍ଚଳର ସେକ୍ ପରଭେଜ୍ ବୋଲି ଜଣାପଡିଛି । ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୧୨୦ ଟି ସିମ୍ କାର୍ଡ ସହ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ