ଭିଜିଲାନ୍ସ ମାମଲା: ଲାଞ୍ଚ ମାମଲାରେ ପୂର୍ବତନ ବରିଷ୍ଠ କିରାଣିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
ଭିଜିଲାନ୍ସ ମାମଲା: ଲାଞ୍ଚ ମାମଲାରେ ପୂର୍ବତନ ବରିଷ୍ଠ କିରାଣିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ
ଭିଜିଲାନ୍ସ ମାମଲା: ଲାଞ୍ଚ ମାମଲାରେ ପୂର୍ବତନ ବରିଷ୍ଠ କିରାଣିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ


ସମ୍ବଲପୁର, ୨୪, ସେପ୍ଟେମ୍ବର (ହି.ସ.) ମରୁଡ଼ି କ୍ଷତିପୂରଣ ବାବଦ ଚେକ୍ ପ୍ରଦାନ କରିବା ପାଇଁ ଜଣେ ଚାଷୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବା ମାମଲାରେ ବରଗଡ଼ ଜିଲ୍ଲା ଭଟଲି ତହସିଲ କାର୍ଯ୍ୟାଳୟର ତତ୍କାଳୀନ ବରିଷ୍ଠ କିରାଣି ଗୋବର୍ଦ୍ଧନ ମେହେରଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଦଣ୍ଡାଦେଶ ହୋଇଛି। ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଗୁରୁବାର ଏହି ରାୟ ଶୁଣାଇଛନ୍ତି।

ଗୋବର୍ଦ୍ଧନ ମେହେର ପୂର୍ବରୁ ଭଟଲି ତହସିଲ କାର୍ଯ୍ୟାଳୟରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ବିଭାଗରେ ବରିଷ୍ଠ କିରାଣି ଭାବେ କାର୍ଯ୍ୟରତ ଥିଲେ। ଜଣେ ଚାଷୀଙ୍କୁ ମରୁଡ଼ି କ୍ଷତିପୂରଣ ରାଶିର ଚେକ୍ ପ୍ରଦାନ କରିବା ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ଦାବି କରି ଗ୍ରହଣ କରିଥିଲେ। ଏହି ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୧୩(୨), ୧୩(୧)(ଡି) ଓ ୭ ଅନୁଯାୟୀ ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଏହି ମାମଲାର ବିଚାର କରି ବରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ ସଶ୍ରମ କାରାଦଣ୍ଡ ସହ ଜରିମାନା ଶୁଣାଇଛନ୍ତି। ରାୟ ପରେ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଏହି ଦଣ୍ଡାଦେଶ ପରେ ଗୋବର୍ଦ୍ଧନ ମେହେରଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯିବ।

ଏହି ମାମଲାର ତଦନ୍ତ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ପୂର୍ବତନ ଇନ୍ସପେକ୍ଟର ପୁନିତା ପ୍ରଭା ବାଗେ କରିଥିଲେ। ସରକାରୀ ପକ୍ଷରୁ ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ସରକାରୀ ଓକିଲ ଗୌରମୋହନ ଦାଶ ଓ ରବିନାରାୟଣ ଭୋଇ ମିଳିତ ଭାବେ ମାମଲା ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande