

ସମ୍ବଲପୁର, ୨୪, ସେପ୍ଟେମ୍ବର (ହି.ସ.)
ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଧମା ଥାନା ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ନକଲି ଓ ଭେଜାଲ ବିଦେଶୀ ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।
ଧମା ଅବକାରୀ ଥାନା ମାମଲା ରୁଜୁ କରାଯାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଘଟଣାସ୍ଥଳରୁ ୪୨.୫୯୫ ଲିଟର ନକଲି ବିଦେଶୀ ମଦ, ବିଭିନ୍ନ ବ୍ରାଣ୍ଡର ୧୫ ଟି ଖାଲି କାଚ ବୋତଲ, ୯୨ଟି ମଦ ବୋତଲ କ୍ୟାପ୍ (ଠିପି), ୨୬ଟି ନକଲି ଅବକାରୀ ଆଡହେସିଭ୍ ଲେବୁଲ୍ ଏବଂ ମଦ ବିକ୍ରିରୁ ମିଳିଥିବା ୭୫ହଜାର ଟଙ୍କା ନଗଦ କ୍ୟାସ ଜବତ କରାଯାଇଛି ବୋଲି ବିଭାଗୀୟ ଅଧିକାରୀ ଅସିତ ମଲ୍ଲିକସୂଚନାଦେଇଛନ୍ତି ।
ଏହି ବେଆଇନ କାରବାର ସହ ସମ୍ପୃକ୍ତ ଥିବା ଅଭିଯୋଗରେ ଅବକାରୀ ଥାନାର ମାମଲା ସଂଖ୍ୟା ୧୭୦ ବଳରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏମାନେ ହେଲେ ଓମ୍ ପ୍ରକାଶ କୁମାର (୩୪),କୁନ୍ଦନ କୁମାର (୨୬),ଭିକୁ କୁମାର (୨୬),ସରୋଜ କୁମାର (୨୬) । ଏମାନ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ନକଲି ମଦ ରାକେଟ୍ ପଛରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଜାରି ରଖିଛି ବୋଲି ଅବକାରୀ ଅଧିକାରୀ ଅସିତ ମଲ୍ଲିକ ସୂଚନା ଦେଇଛନ୍ତି । ପୂର୍ବରୁ ଗତ ୮ ତାରିଖରେ ସମ୍ବଲପୁର ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ବଡ ସଫଳତା ମିଳିଥିଲା l ସମ୍ବଲପୁର ଉତ୍ତରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ୧୦ ନମ୍ବର ରାଜ୍ୟ ରାଜପଥର ପଧାନପାଲି ଟୋଲ ଗେଟ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ଟ୍ରକ ଜବତ ସହ ୨ ଜଣଙ୍କୁ ଗିରଫ କରିଥିଲା l
ସେହିପରି ନିଶାମୁକ୍ତ ଓଡ଼ିଶା ଅଭିଯାନରେ ଗତ ୨୦ ତାରିଖ ରେଙ୍ଗାଲି ଥାନା ଅଞ୍ଚଳରେ ଚୋରା କଫ୍ ସିରପ୍ ଚାଲାଣ ବେଳେ ପୁଲିସ୍ ଓ ନିଶା ମାଫିଆଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏହି କାର୍ଯ୍ୟାନୁଷ୍ଠାନରେ ପୁଲିସ୍ ବିପୁଳ ପରିମାଣର କୋଡିନ୍ ଯୁକ୍ତ କଫ୍ ସିରପ୍, ମାରଣାସ୍ତ୍ର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ