ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା:
ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ଅନ୍ଧାରରେ ରୋଗୀ ସେବା, ମୋବାଇଲ ଆଲୁଅରେ ଚାଲିଛି ପଞ୍ଜୀକରଣ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଅଚଳ, ଜେନେରେଟର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି* ଖଡ଼ିଆଳ,୨୪।୯(ନି.ପ୍ର): ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍ ସେବା ବ୍ୟାହତ
Sub division hospital khariar


ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା: ଅନ୍ଧାରରେ ରୋଗୀ ସେବା, ମୋବାଇଲ ଆଲୁଅରେ ଚାଲିଛି ପଞ୍ଜୀକରଣ

ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ଅଚଳ, ଜେନେରେଟର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି*

ଖଡ଼ିଆଳ,୨୪।୯(ନି.ପ୍ର): ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍ ସେବା ବ୍ୟାହତ ହେବା ପରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଚିକିତ୍ସା କକ୍ଷରେ ଅନ୍ଧାର ଛାଇ ରହିଥିବା ବେଳେ ମୋବାଇଲ ଫୋନ୍ର ଆଲୁଅରେ ରୋଗୀଙ୍କ ନାମ ପଞ୍ଜୀକରଣ କରାଯାଉଥିବା ଦୃଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଗୁରୁବାର ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଥିଲା। ଏହାର ପ୍ରଭାବ ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ମଧ୍ୟ ପଡ଼ିଥିଲା। ବିଦ୍ୟୁତ୍ ଚାଲିଯିବା ପରେ ଚିକିତ୍ସା କକ୍ଷ ସମେତ ରୋଗୀ ପଞ୍ଜୀକରଣ ସ୍ଥାନରେ ଅନ୍ଧାର ଛାଇ ଯାଇଥିଲା। ଫଳରେ ଚିକିତ୍ସା ପାଇଁ ଆସିଥିବା ରୋଗୀ ଓ ସେମାନଙ୍କ ସହ ଆସିଥିବା ପରିବାର ସଦସ୍ୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଇନଭର୍ଟର ବ୍ୟାଟେରି ଆବଶ୍ୟକ ବ୍ୟାକଅପ୍ ଦେଇପାରୁ ନଥିବା ଅଭିଯୋଗ ହୋଇଛି। ଇନଭର୍ଟର ମାଧ୍ୟମରେ ଆଲୋକ ବ୍ୟବସ୍ଥା କରିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ମାତ୍ର କିଛି ସମୟ ପରେ ପୁଣି ଅନ୍ଧାର ହୋଇଯାଇଥିଲା। ଶେଷରେ ମୋବାଇଲ ଫୋନ୍ର ଆଲୁଅରେ ରୋଗୀଙ୍କ ପଞ୍ଜୀକରଣ କାର୍ଯ୍ୟ କରିବାକୁ ପଡ଼ିଥିଲା। ଏହା କୌଣସି ଦୁର୍ଗମ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟ କେନ୍ଦ୍ର ନୁହେଁ, ବରଂ ବିଭିନ୍ନ ବ୍ଲକରୁ ପ୍ରତିଦିନ ରୋଗୀ ଚିକିତ୍ସା ପାଇଁ ନିର୍ଭର କରୁଥିବା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ବିଦ୍ୟୁତ୍ ବିଭ୍ରାଟ ସମୟରେ ଜରୁରୀ ଚିକିତ୍ସା ସେବା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ସ୍ଥାୟୀ ବିକଳ୍ପ ବିଦ୍ୟୁତ୍ ବ୍ୟବସ୍ଥା ରହିବା ଜରୁରୀ ବୋଲି ରୋଗୀ ଓ ସମ୍ପର୍କୀୟମାନେ ମତ ପ୍ରକାଶ କରିଛନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଜେନେରେଟର ବ୍ୟବସ୍ଥାକୁ ସବୁବେଳେ କାର୍ଯ୍ୟକ୍ଷମ ରଖିବା ସହ ଆବଶ୍ୟକ ଇନ୍ଧନ ଉପଲବ୍ଧ କରାଇବା ଏବଂ ଇନଭର୍ଟର ବ୍ୟାଟେରିର ମରାମତି କିମ୍ବା ପରିବର୍ତ୍ତନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଇ ରୋଗୀ ସେବା ବ୍ୟବସ୍ଥାରେ ଆବଶ୍ୟକ ସୁଧାର ଆଣିବାକୁ ସାଧାରଣରେ ଦାବି ହୋଇଛି। ଏନେଇ ମେଡିକାଲ ଇନଚାର୍ଜ ମନୋଜ ଦୋରାଙ୍କୁ ଯୋଗାଯୋଗ କରାଯିବାରୁ ତାଙ୍କର ଫୋନ ସ୍ଵିଚ ଅଫ ଥିବାରୁ କୌଣସି ମତାମତ ନିଆ ଯାଇପାରିନଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande