
ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.) -ଦକ୍ଷିଣ ପୂର୍ବ ସର୍କଲର ରେଳ ସୁରକ୍ଷା କମିଶନର ସୁମିତ ସିଂଘଲ ବୁଧବାର ବୌଦ୍ଧ ଜିଲ୍ଲାର ଖୋର୍ଦ୍ଧା ରୋଡ୍–ବଲାଙ୍ଗୀର ରେଳପଥ ପ୍ରକଳ୍ପ ଅନ୍ତର୍ଗତ ନବନିର୍ମିତ ପୁରୁଣାକଟକ–ଚାରିଛକ ସେକ୍ସନ ନିରୀକ୍ଷଣ କରିଛନ୍ତି। ଏହି ନିରୀକ୍ଷଣରେ ୧୩.୩୫ କିଲୋମିଟର ନୂତନ ରେଳପଥ ସାମିଲ ଥିଲା ଏବଂ ଏହି ସେକ୍ସନରେ ନିର୍ମିତ ବିଭିନ୍ନ ନିରାପତା ବ୍ୟବସ୍ଥା ଓ ଭିତିଭୂମି ସୁବିଧା ଗୁଡିକ ପୁଙ୍ଖାନୁପୁଙ୍ଖ ଯାଂଚ କରାଯାଇଥିଲା।
ପୁରୁଣାକଟକ–ଚାରିଛକ ସେକ୍ସନକୁ କାର୍ଯ୍ୟକ୍ଷମ କରିବା ଦିଗରେ ଏହି ଯାଂଚ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଦ୍ୱାରା ଓଡ଼ିଶାର ଆଭ୍ୟନ୍ତରୀଣ ଅଂଚଳକୁ ରେଳ ସଂଯୋଗ ଆହୁରି ବିସ୍ତାରିତ ହେବ। ଯାଂଚ ସମୟରେ ରେଳ ସୁରକ୍ଷା କମିଶନର ରେଳପଥ, ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବ୍ୟବସ୍ଥା, ସେତୁ, ଭାୟାଡକ୍ଟ, ସୁଡ଼ଙ୍ଗ ଏବଂ ଅନ୍ୟାନ୍ୟ ନିରାପତା ସମ୍ବନ୍ଧୀୟ ବ୍ୟବସ୍ଥା ଯାଂଚ କରିଥିଲେ। ନବନିର୍ମିତ ରେଳପଥର ପ୍ରସ୍ତୁତି ଓ ନିରାପତା ଆକଳନ ପାଇଁ ସେ ଚାରିଛକରୁ ପୁରୁଣାକଟକ ଷ୍ଟେସନ୍ ମଧ୍ୟରେ ସ୍ପିଡ୍ ଟ୍ରାଏଲ୍ ରନ୍ ମଧ୍ୟ କରିଥିଲେ।
ଏହି ସେକ୍ସନର ଏକ ପ୍ରମୁଖ ଇଞ୍ଜିନିୟରିଂ ବୈଶିଷ୍ଟ୍ୟ ହେଉଛି ୧,୯୭୫ ମିଟର ଲମ୍ବର ଟି-୭ ସୁଡ଼ଙ୍ଗ, ଯାହା ଦୁର୍ଗମ ଭୂଭାଗ ଦେଇ ନିର୍ମାଣ କରାଯାଇଛି। ଏହି ସେକ୍ସନରେ ପ୍ରାୟ ୧.୯ କିଲୋମିଟର ମୋଟ ଲମ୍ବର ଦୁଇଟି ପ୍ରମୁଖ ଭାୟାଡକ୍ଟ ମଧ୍ୟ ରହିଛି। ଏହା ବ୍ୟତୀତ, ଏହି ସେକ୍ସନରେ ଗୋଟିଏ ପ୍ରମୁଖ ସେତୁ ରହିଛି, ଯାହା ଏକ ରୋଡ୍ ଓଭର ବ୍ରିଜ୍।
ନବନିର୍ମିତ ଏହି ସେକ୍ସନରେ ଆଧୁନିକ ରେଳ ଭିତିଭୂମି ଓ ନିରାପତା ସମ୍ବନ୍ଧୀୟ ବ୍ୟବସ୍ଥା ରହିଛି। ଏଥିରେ ସିଗନାଲିଂ ଓ ଟେଲିକମ୍ୟୁନିକେସନ୍ ବ୍ୟବସ୍ଥା, ସୁଦୃଢ଼ ରେଳପଥ ଭିତିଭୂମି ଏବଂ ନିରାପଦ ଓ ସୁଚାରୁ ଟ୍ରେନ୍ ଚଳାଚଳ ପାଇଁ ଆବଶ୍ୟକ ଅନ୍ୟାନ୍ୟ ନିରାପତା ବ୍ୟବସ୍ଥା ସାମିଲ ରହିଛି। ନିର୍ମାଣ ସଂଗଠନର ଅଧିକାରୀଙ୍କ ସମେତ,ପୂର୍ବ ତଟ ରେଳପଥର ବରିଷ୍ଠ ଅଧିକାରୀମାନେ, ରେଳ ସୁରକ୍ଷା କମିଶନର ଟିମ୍ କୁ ଯାଂଚ ସମୟରେ ସହଯୋଗ କରିଥିଲେ। ଟିମ୍ ଏହି ସେକ୍ସନର ବିଭିନ୍ନ ସ୍ଥାନରେ ଭିତିଭୂମି ଓ ନିରାପତା ବ୍ୟବସ୍ଥାର ଯାଂଚ କରିଥିଲେ।
ପ୍ରାୟ ୩୦୧ କିଲୋମିଟର ଦୀର୍ଘ ଖୋର୍ଦ୍ଧା ରୋଡ୍–ବଲାଙ୍ଗିର ରେଳପଥ ପ୍ରକଳ୍ପ ଓଡ଼ିଶାର ଆଭ୍ୟନ୍ତରୀଣ ଓ ରେଳ ସଂଯୋଗରୁ ବଂଚିତ ଅଂଚଳଗୁଡ଼ିକୁ ଉନ୍ନତ ରେଳ ସଂଯୋଗ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ। ଖୋର୍ଦ୍ଧା ରୋଡ୍ ଓ ବଲାଙ୍ଗିର ଉଭୟ ପାର୍ଶ୍ୱରୁ ପର୍ଯ୍ୟାୟକ୍ରମେ ରେଳ ଭିତିଭୂମି ନିର୍ମାଣ ଓ କମିଶନିଂ କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା