ଆଇଆଇଟି ଭୁବନେଶ୍ୱରରେ ଓଡ଼ିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହାକାଥନ୍ ଉଦ୍ଘାଟିତ
ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.) - ନିଜ ଅଂଚଳର ସମସ୍ୟାକୁ ଚିହ୍ନଟ କରି ନୂଆ ଚିନ୍ତାଧାରା ଓ ପ୍ରଯୁକ୍ତିର ସହାୟତାରେ ତାହାର ସମାଧାନ ଖୋଜିବେ ଓଡ଼ିଶାର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏହି ଲକ୍ଷ୍ୟ ନେଇ ଆୟୋଜିତ ରାଜ୍ୟସ୍ତରୀୟ ହାକାଥନ୍ ଓଡ଼ିଆପ୍ରେନ୍ୟୁର୍ ୩.୦'' ବୁଧବାର ଆଇଆଇଟି ଭୁବନେ
ଆଇଆଇଟି ଭୁବନେଶ୍ୱରରେ ଓଡ଼ିଆପ୍ରେନ୍ୟୁର୍ ୩.୦ ରାଜ୍ୟସ୍ତରୀୟ ହାକାଥନ୍ ଉଦ୍ଘାଟିତ


ଭୁବନେଶ୍ୱର, ୩୦ ସେପ୍ଟେମ୍ବର (ହି.ସ.) - ନିଜ ଅଂଚଳର ସମସ୍ୟାକୁ ଚିହ୍ନଟ କରି ନୂଆ ଚିନ୍ତାଧାରା ଓ ପ୍ରଯୁକ୍ତିର ସହାୟତାରେ ତାହାର ସମାଧାନ ଖୋଜିବେ ଓଡ଼ିଶାର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ। ଏହି ଲକ୍ଷ୍ୟ ନେଇ ଆୟୋଜିତ ରାଜ୍ୟସ୍ତରୀୟ ହାକାଥନ୍ ଓଡ଼ିଆପ୍ରେନ୍ୟୁର୍ ୩.୦' ବୁଧବାର ଆଇଆଇଟି ଭୁବନେଶ୍ୱର ପରିସରରେ ଉଦ୍ଘାଟିତ ହୋଇଛି। ଏଥିରେ ରାଜ୍ୟର ୧୦୧ଟି ସ୍କୁଲ୍?ର ୧୯୨ ଜଣ ଛାତ୍ରଛାତ୍ରୀ ନିଜର ଅଭିନବ ଚିନ୍ତାଧାରା ଓ ସମାଧାନ ଉପସ୍ଥାପନ କରୁଛନ୍ତି।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶିକା ଶ୍ରୀମତୀ ନିୟତି ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଶସ୍ମିତା ମାଳି, ଉପନିର୍ଦ୍ଦେଶିକା ଶ୍ରୀମତୀ ସିଏଛ. ବିଜୟଲକ୍ଷ୍ମୀ, ୟୁନିସେଫ୍ ଓଡ଼ିଶାର ରାଜ୍ୟ ମୁଖ୍ୟ ଶ୍ରୀମତୀ ଲଳିତା ପଟ୍ଟନାୟକ, ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରସିପ୍ ପାର୍କର ସିଇଓ ଶ୍ରୀ ଶୁଭଙ୍କର ପତି ଏବଂ ଆଇଆଇଟି ଭୁବନେଶ୍ୱରର ଡିନ୍, ଫାକଲ୍ଟି ଆଫେୟାର୍ସ ପ୍ରଫେସର ଉମାପ୍ରସନ୍ନ ଓଝା ଉପସ୍ଥିତ ଥିଲେ।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶା ସରକାର, ୟୁନିସେଫ୍ ଓଡ଼ିଶା ଏବଂ ଆଇଆଇଟି ଭୁବନେଶ୍ୱର ରିସର୍ଚ୍ଚ ଆଣ୍ଡ ଏଣ୍ଟରପ୍ରେନ୍ୟୁରସିପ୍ ପାର୍କର ମିଳିତ ଉଦ୍ୟମରେ ଏହି ପଦକ୍ଷେପ ଆୟୋଜିତ ହେଉଛି। ଉଚ୍ଚ ମାଧ୍ୟମିକ ସ୍ତରରେ ସୃଜନଶୀଳତା, ନୂଆ କିଛି କରିବାର ଆଗ୍ରହ, ସମସ୍ୟା ସମାଧାନର ଦକ୍ଷତା ଏବଂ ଉଦ୍ୟୋଗୀ ମନୋଭାବ ବିକଶିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

ଓଡ଼ିଆପ୍ରେନ୍ୟୁର୍ ୩.୦' ପାଇଁ ରାଜ୍ୟର ବିଭିନ୍ନ ସ୍କୁଲ୍ ରୁ ୯୬୯ଟି ଆଇଡିଆ ମିଳିଥିଲା। ସେଥିରୁ ୭୪୯ଟି ଜିଲ୍ଲାସ୍ତରୀୟ ପର୍ଯ୍ୟାୟ ପାଇଁ ଚୟନ ହୋଇଥିଲା। ଏହି ପ୍ରକ୍ରିୟା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଚାରିପାଖର ବାସ୍ତବ ସମସ୍ୟାକୁ ଚିହ୍ନଟ କରି ସେଗୁଡ଼ିକର ବ୍ୟବହାରିକ, ଅଭିନବ ଓ ପ୍ରଯୁକ୍ତିଭିତିକ ସମାଧାନ ବିକଶିତ କରିବାର ସୁଯୋଗ ପାଉଛନ୍ତି।

ଏହି ଅବସରରେ ଶ୍ରୀମତୀ ନିୟତି ପଟ୍ଟନାୟକ କହିଛନ୍ତି, “ଯୁବପିଢ଼ିକୁ ଯେତେବେଳେ ଏକ ମଂଚ, ଠିକ୍ ମାର୍ଗଦର୍ଶନ ଏବଂ ବାସ୍ତବ ସମସ୍ୟାର ସମାଧାନ ପାଇଁ ସୁଯୋଗ ମିଳେ, ସେମାନଙ୍କ ଚିନ୍ତାଧାରା ହିଁ ସାର୍ଥକ ପରିବର୍ତନର ଆରମ୍ଭ ହୋଇପାରେ।”

ହାକାଥନ୍ ରେ ପ୍ରାୟ ୧୦୦ ଜଣ ମେଂଟରଙ୍କ ମାର୍ଗଦର୍ଶନରେ ଯୁବ ଅଂଶଗ୍ରହଣକାରୀମାନେ ନିଜ ଚିନ୍ତାଧାରାକୁ ଅଧିକ ଉନ୍ନତ କରୁଛନ୍ତି। ଲକ୍ଷ୍ୟ କେବଳ ଏକ ଚିନ୍ତାଧାରା ଉପସ୍ଥାପନରେ ସୀମିତ ନୁହେଁ; ଏହାକୁ ଏକ ପ୍ରୋଟୋଟାଇପ୍ ରେ ପରିଣତ କରି ଆଗକୁ ନେବା ପାଇଁ ମେଂଟରିଂ, ଇନ୍କ୍ୟୁବେସନ୍ ଓ ବୈଷୟିକ ସହାୟତାର ସୁଯୋଗ ସୃଷ୍ଟି କରିବା ମଧ୍ୟ ଏହି ପଦକ୍ଷେପର ଅଂଶ।

ତେଣୁ ଓଡ଼ିଆପ୍ରେନ୍ୟୁର୍ ୩.୦' କେବଳ ଏକ ହାକାଥନ୍ ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ବାସ୍ତବ ସମାଧାନରେ ପରିଣତ କରିବାର ଏକ ମଂଚ ଭାବେ ଆଗକୁ ବଢ଼ୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande