
ଝାରସୁଗୁଡ଼ା, ୩୦ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲା ଲଇକେରା ଅଂଚଳରେ ନିର୍ମାଣାଧୀନ ଏକଲବ୍ୟ ବିଦ୍ୟାଳୟ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ ଏକ ମାଲବାହୀ ପିକ୍ଅପ୍ ଗାଡ଼ିରେ ବିପଜ୍ଜନକ ଭାବେ ପରିବହନ କରାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କିତ ଏକ ଭିଡିଓ ଗତ ତିନି ଦିନ ଧରି ସୋସିଆଲ ମିଡିଆରେ ଘୁରିବୁଲୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମ୍ପୃକ୍ତ ଗାଡ଼ି ବିରୋଧରେ ପ୍ରଶାସନ କିମ୍ବା ପରିବହନ ବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ଉଠିଛି।
ସୂଚନା ଅନୁସାରେ, ଓଡ଼ି-୨୩-ଜି-୮୮୦୭ ନମ୍ବର ବିଶିଷ୍ଟ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ିରେ ଶ୍ରମିକମାନଙ୍କୁ ନେବାଆଣିବା କରାଯାଉଥିବା ଭିଡିଓ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଗାଡ଼ିଟିର ଇନସୁରାନ୍ସ ଓ ପ୍ରଦୂଷଣ ପ୍ରମାଣପତ୍ର ସେପ୍େଟମ୍ବର ୨୦ ତାରିଖରୁ ଅବଧି ଶେଷ ହୋଇଥିବା କୁହାଯାଉଛି। ଏପରି ସ୍ଥିତିରେ ଗାଡ଼ିଟି ନିୟମିତ ଭାବେ ଶ୍ରମିକ ପରିବହନରେ ବ୍ୟବହୃତ ହେଉଥିବା ନେଇ ପ୍ରଶ୍ନ ଉଠିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଥାନା ସମ୍ମୁଖ ଦେଇ ମଧ୍ୟ ଗାଡ଼ିଟି ଶ୍ରମିକମାନଙ୍କୁ ନେଇ ଯାତାୟାତ କରୁଥିବା ଦେଖାଯାଉଛି। ତଥାପି ଗାଡ଼ିର କାଗଜପତ୍ର ଯାଂଚ କିମ୍ବା ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ ଉଠିଛି। ମାଲବାହୀ ଯାନରେ ଶ୍ରମିକଙ୍କୁ ଏଭଳି ଭାବେ ପରିବହନ କରାଯିବା ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଚିନ୍ତାଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ସାଧାରଣ ଯାନବାହନର କାଗଜପତ୍ର ଯାଂଚ ସହ ନିୟମ ଉଲ୍ଲଂଘନ ନେଇ ଜରିମାନା ଆଦାୟ କରାଯାଉଥିବା ବେଳେ, ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ସ୍ଥାନୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଗାଡ଼ିର କାଗଜପତ୍ର ଓ ଶ୍ରମିକ ପରିବହନ ସମ୍ପର୍କିତ ନିୟମ ଯାଂଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି।
ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜିଲ୍ଲା ପରିବହନ ଅଧିକାରୀ ଗୌରହରୀ ହାଁସଦାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ