
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ସନ୍ଦେହ ସତ ହେଲା। ତିନି ଦିନ ଧରି ନିଖୋଜ ଥିବା ଧାମନଗର ବ୍ଲକ କଟସାହି ପଂଚାୟତସ୍ଥିତ ଜଗନ୍ନାଥପୁର ମହାଦେବ ସାହିର ବାଳକ ଶୁଭ୍ରାନ୍ଦୁ ପଣ୍ଡା(୧୦)ଙ୍କ ମୃତଦେହ ବୁଧବାର ପାଣିରୁ ଉଦ୍ଧାର କରାଯାଇଛି।ମହାଦେବ ସାହିର ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଏକମାତ୍ର ପୁଅ ଶୁଭ୍ରାନ୍ଦୁ ଗତ ସୋମବାର ଦିନ ପୂର୍ବାହ୍ନରେ ବନ୍ୟା ପାଣି ଦେଖିବା ପାଇଁ ଗାଁ ମୁଣ୍ଡ ଚତର ନାଳ ନିକଟକୁ ଆସିଥିବା ବେଳେ ବଡ଼ ବାପା ସେଠାରୁ ଘରକୁ ପଠାଇ ଦେଇଥିଲେ।ବାଳକ ଶୁଭ୍ରାନ୍ଦୁ କିଛି ସମୟ ପରେ ପୁଣି ଲୁଛି ପଳାଇ ଆସିଥିବା ବେଳେ ଆଉ ଘରକୁ ଫେରି ନଥିଲେ।ଗାଁ ରାସ୍ତାରେ ଚାଲିଥିବା ବନ୍ୟା ସ୍ରୋତରେ ସେ ଭାସି ଯାଇଥିବା ସନ୍ଦେହ ପ୍ରକାଶ ପାଇବା ପରେ ଦୁଇଦିନ ଧରି ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ଦ୍ୱାରା ନିକଟବର୍ତୀ ଅଂଚଳରେ ଦୀର୍ଘ ସମୟ ଖୋଜାଖୋଜି କରାଯାଇଥିଲା।କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ବନ୍ୟା ପାଣି କ୍ରମଶଃ ହ୍ରାସ ପାଇଥିବାରୁ ଗାଁର କିଛି ଯୁବକ ପାଣିରେ ଖୋଜାଖୋଜି କରିଥିଲେ ଏବଂ ପାଣି ମଧ୍ୟରେ ଦଳ ଭର୍ତି ସ୍ଥାନରୁ ନିଖୋଜ ଶୁଭ୍ରାନ୍ଦୁଙ୍କ ମୃତଦେହ ଉଦ୍ଧାର କରିଥିଲେ।ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।ମୃତ ବାଳକର ପରିବାର ପାଗଳପ୍ରାୟ ହୋଇ ଯାଇଛନ୍ତି।ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ ଘଟଣା ସ୍ଥଳରେ ପହଂଚି ଶବ ଜବତ ସହିତ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ଅପମୃତ୍ୟୁ ମାମଲା ସଂଖ୍ୟା-୨୯/୨୬ ରୁଜ୍ଜୁ ହୋଇଛି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ