
ଝାରସୁଗୁଡ଼ା, ୩୦ ସେପ୍ଟେମ୍ବର (ହି.ସ.) - ଜାତୀୟ ଆଇନ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ମାସ ୧ ତାରିଖରୁ ସାରା ଦେଶରେ ବିଶେଷ ମଧ୍ୟସ୍ତତା ଅଭିଯାନ ୩.୦ ଜାରି ରହିଛି। ଏହି କ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଝାରସୁଗୁଡ଼ାର ମଧ୍ୟସ୍ଥତା କେନ୍ଦ୍ରରେ ମଧ୍ୟ ଏହି ମଧ୍ୟସ୍ଥତା ଅଭିଯାନ ଚାଲୁ ରହିଛି । ବିବାଦୀୟ ପକ୍ଷଗୁଡ଼ିକ ଅଦାଲତରେ ମାମଲାର ବିଚାର ନକରି ଏକ ନିରପେକ୍ଷ ତୃତୀୟ ପକ୍ଷଙ୍କ ସହାୟତାରେ ସେମାନଙ୍କର ବିବାଦର ଏକ ଗ୍ରହଣଯୋଗୀ ଏବଂ ସୃଜନାତ୍ମକ ଢଙ୍ଗରେ ସମାଧାନ କରିପାରିବେ। ବିବାଦର ସମାଧାନ ନିମନ୍ତେ ମଧ୍ୟସ୍ଥତା ଏକ ଅପୂର୍ବ ସୁଯୋଗ ଆଣିଥାଏ । ପକ୍ଷମାନଙ୍କୁ ଅଦାଲତରେ ମିଳୁଥିବା ନିଷ୍ପତି ଠାରୁ ସନ୍ତୋଷଜନକ ଫଳ ଏହି ସମାଧାନ ପଦ୍ଧତି ମାଧ୍ୟମରେ ମିଳିଥାଏ।ଏହା ବ୍ୟତୀତ ଅଦାଳତରେ ରାୟ ପାଇବା ପାଇଁ ଆବଶ୍ୟକ ହେଉଥିବା ଅର୍ଥ ଏବଂ ସମୟ ଅପଚୟରୁ ମୁକ୍ତି ମିଳିଥାଏ। ମଧ୍ୟସ୍ଥତା ଦ୍ୱାରା ମାମଲାଟି ସମାଧାନ ହୋଇଗଲେ ଦାୟର ହୋଇଥିବା କୋର୍ଟ ଫି ଫେରସ୍ତ ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରାଧିକରଣ ସଚିବ ସୂଚନା ଦେଇଛନ୍ତି । ମଧ୍ୟସ୍ଥତା ହେଉଛି ବିବାଦ ସମାଧାନ ତଥା ବିବାଦ ଶୁଣାଣୀର ଏକ ବିକଳ୍ପ ବ୍ୟବସ୍ଥା । ଏହି ଅଭିଯାନରେ କୋର୍ଟରେ ବିଚାରାଧୀନ ଥିବା ବୈବାହିକ ବିବାଦ ସମ୍ବନ୍ଧୀୟ ମାମଲା ଘରୋଇ ହିଂସା ସହିତ, ଚେକ୍ ବାଉନ୍ସ, ଗାଡି ମୋଟର ଦୁର୍ଘଟଣା ଜନିତ ମାମଲା, ସାଲିସ୍ ଯୋଗ୍ୟ ଫୌଜଦାରି ମାମଲା, ଜମି ଅଧିଗ୍ରହଣ, କମିବାଡି ଭାଗବଣ୍ଟା, ଉଛେଦ ମାମଲା, ବାଣିଜ୍ୟିକ ବିବାଦ ମାମଲା, ଉପଯୁକ୍ତ ନିଯୁକ୍ତି ବା ଚାକିରୀ ସମ୍ବନ୍ଧୀୟ ମାମଲା, ଶ୍ରମ ଅଧିନିୟମ, ଖାଉଟି ମାମଲା ଏବଂ ଅନ୍ୟାନ୍ୟ ଦେୱାନି ମାମଲା ଗୁଡିକ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ, ଯାହା ଦ୍ୱାରା ଜନସାଧାରଣ ମାନେ ସମୟ ଏବଂ ଖର୍ଚ ଅପଚୟ ହେବାରୁ ରକ୍ଷା ପାଇପାରିବେ । ଜନସାଧାରଣ ଏହି ସୁଯୋଗ ର ସଦୁପଯୋଗ କରନ୍ତୁ ବୋଲି ପ୍ରାଧିକରଣ ପକ୍ଷରୁ ସୂଚନା ଦିଆ ଯାଇଛି। ଅଧିକ ସୂଚନା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଝାରସୁଗୁଡ଼ା ସହିତ ଯୋଗାଯୋଗ କରିପାରିବେ କିମ୍ବା ରାଷ୍ଟ୍ରୀୟ ହେଲ୍ପଲାଇନ ୧୫୧୦୦ କୁ ମଧ୍ୟ ଫୋନ୍ କରି ସୂଚନା ନେଇ ପାରିବେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ