ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ରାସ୍ତା ପାଦରେ ଚାଲିଲେ ପ୍ରସୂତି
କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ରାସ୍ତା ପାଦରେ ଚାଲିଲେ ପ୍ରସୂତି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ଗାଁର ଦେଶବନ୍ଧ ସାହିରେ ଘଟିଛି ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ଘରେ ପ୍ରସବ ପରେ ଅନ୍ୟ ଉପା
ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ରାସ୍ତା ପାଦରେ ଚାଲିଲେ ପ୍ରସୂତି


କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ଗାଁକୁ ରାସ୍ତା ନଥିବାରୁ ୩ କିଲୋମିଟର ରାସ୍ତା ପାଦରେ ଚାଲିଲେ ପ୍ରସୂତି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କୁମୁଣ୍ଡି ଗାଁର ଦେଶବନ୍ଧ ସାହିରେ ଘଟିଛି ଅଭାବନୀୟ ଘଟଣା । ଗାଁକୁ ରାସ୍ତା ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନସ୍ । ଘରେ ପ୍ରସବ ପରେ ଅନ୍ୟ ଉପାୟ ନପାଇ ପ୍ରସୂତି , ନବଜାତକକୁ ସାଙ୍ଗରେ ଧରି ୩କିଲୋମିଟର ଦୂର ପାଦରେ ଚାଲି ଆମ୍ବୁଲାନସ୍ ପାଖରେ ପହଞ୍ଚିଲେ । ଦେଖନ୍ତୁ, କେତେ ସଂକୀର୍ଣ୍ଣ ରାସ୍ତାରେ ଛୁଆକୁ ଧରି ପ୍ରସୂତି, ପାଦରେ ଚାଲି ଆମ୍ବୁଲାନସ୍ ଯାଏ ଆସୁଛନ୍ତି । ସାମାନ୍ୟ ପାଦ ଖସିଲେ, ତଳେ ପଡ଼ିଯିବାର ରହିଛି ଭୟ । ସୂଚନା ଅନୁଯାୟୀ, ଗାଁର ବୈଶାଗୁ ମୁଣ୍ଡାଙ୍କ ସ୍ତ୍ରୀ ବିଳାଶ ମୁଣ୍ଡାଙ୍କର ଗତକାଲି ରାତିରେ ପ୍ରସବ ବେଦନା ହୋଇଥିଲା । ରାତିରେ ଆମ୍ବୁଲାନସ୍ କୁ ଖବର ଦେଇଥିଲେ ପରିବାର । ହେଲେ, ଗାଁକୁ ଆମ୍ବୁଲାନସ୍ ଆସି ନଥିଲା । ଇତିମଧ୍ୟରେ ଘରେ ବିଳାଶ ମୁଣ୍ଡାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଆଜି ସକାଳେ ଆମ୍ବୁଲାନସ୍ ପହଞ୍ଚିଥିଲା । ହେଲେ, ଗାଁକୁ ରାସ୍ତା ନଥିବାରୁ ୩କିଲୋମିଟର ଦୂରରେ ଅଟକି ରହିଥିଲା ଆମ୍ବୁଲାନସ୍ । ପରେ, ଆଶାକର୍ମୀ ଏବଂ ପରିବାର ଲୋକଙ୍କ ସହାୟତାରେ ନବଜାତକକୁ କୋଳରେ ଧରି ଦୀର୍ଘ ୩କିଲୋମିଟର ରାସ୍ତା ପାଦରେ ଚାଲି ଆମ୍ବୁଲାନସ୍ ନିକଟରେ ଅତି କଷ୍ଟରେ ପହଞ୍ଚିଥିଲେ ପ୍ରସୂତି । ଏହି ଗାଁରେ ୪୦ ଜଣ ଆଦିବାସୀ ଏବଂ ମୁଣ୍ଡା ପରିବାର ବସବାସ କରୁଥିବା ବେଳେ, ଆଶ୍ଚର୍ଯ୍ୟର କଥା, ଗାଁକୁ ଯିବାଆସିବା ପାଇଁ କୌଣସି ରାସ୍ତା ନାହିଁ । ଏନେଇ ବାରମ୍ବାର ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି କୌଣସି ଫଳ ହେଉ ନଥିବା କହିଛନ୍ତି ଲୋକେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande