
ଧର୍ମଶାଳା,୩୦ ସେପ୍ଟେମ୍ବର(ହି.ସ.) - ଯାଜପୁର ବ୍ଲକ ଅନ୍ତର୍ଗତ ଝାଲପଡ଼ା ପଂଚାୟତରେ ଷ୍ଟ୍ରିଟ୍ ଲାଇଟ୍ ମରାମତି ଓ ନୂତନ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ନାଁରେ ୯୮ହଜାରରୁ ଊର୍ଦ୍ଧ ଟଙ୍କାର ବିଲ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ,ପ୍ରକୃତରେ ପଂଚାୟତରେ କୌଣସି ଗୋଟିଏ ବି ଖରାପ ଷ୍ଟ୍ରିଟଲାଇଟ ସଜଡା ଯାଇ ନଥିବା ବେଳେ ଗୋଟିଏ ବି ନୂଆ ଲାଇଟ ମଧ୍ୟ ଲଗାଯାଇ ନାହିଁ ଓ କାମ ନ କରି ଏହି ଅର୍ଥରାଶି ହଡ଼ପ କରାଯାଇଥିବା ଅଭିଯୋଗ କରି ଆଜି ଗ୍ରାମବାସୀ ଯାଜପୁର ବିଡିଓ ବ୍ରହ୍ମାନନ୍ଦ ବେହେରାଙ୍କ ନିକଟରେ ଏକ ଲିଖିତ ଅଭିଯୋଗ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ । । ଝାଲପଡ଼ା ପଂଚାୟତର ବିଭିନ୍ନ ଅଂଚଳରେ ଷ୍ଟ୍ରିଟ୍ ଲାଇଟ୍ ମରାମତି କରିବା ସହ ଆବଶ୍ୟକ ସ୍ଥାନରେ ନୂତନ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ପଂଚମ ରାଜ୍ୟ ଅର୍ଥ ଆୟୋଗ ଯୋଜନାରୁ ୯୮,୨୪୭ ଟଙ୍କା ଖର୍ଚ୍ଚ ଦର୍ଶାଯାଇଛି। ଏହି ଖର୍ଚ୍ଚ ସଂପର୍କରେ ଭାଉଚର ନମ୍ବର ୫ମ ଏଚ ଏସ୍ଏଫ୍ସି/୨୦୨୫/୨୬/ପି/୯ ରହିଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶଇଛନ୍ତି । ଏହି ଅର୍ଥରାଶି ପଂଚାୟତ ପିଇଓଙ୍କ ଖାତାକୁ ପ୍ରଦାନ କରାଯାଇଥିବା ର୍ଦଶାଇଛନ୍ତି। ତେବେ ଅନେକ ସ୍ଥାନରେ ପୂର୍ବରୁ ଲାଗିଥିବା ଲାଇଟ ଗୁଡିକ ଖରାପ ହୋଇ ପଡ଼ି ରହିଥିବା ବେଳେ ନୂତନ ଲାଇଟ୍ ଲଗାଯାଇ ନଥିବା ଅଭିଯୋଗ କରିଛନ୍ତି । ଏପରି ସ୍ଥିତିରେ ୯୮,୨୪୭ ଟଙ୍କା କେଉଁ କାମରେ ଖର୍ଚ୍ଚ ହେଲା, କେତେ ଷ୍ଟ୍ରିଟ ଲାଇଟ୍ ମରାମତି ହେଲା ଏବଂ କେତୋଟି ନୂତନ ଲାଇଟ୍ ଲଗାଗଲା, ତାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଠିଛି । ଏହାଛଡ଼ା ଉକ୍ତ ଟଙ୍କାରେ ଲାଇଟ୍ କ୍ରୟ କରାଯାଇଥିଲେ କେଉଁଠାରୁ କ୍ରୟ କରାଯାଇଛି, କେତୋଟି ଲାଇଟ୍ କିଣା ଯାଇଛି, ପ୍ରତି ଲାଇଟ୍ର ମୂଲ୍ୟ କେତେ ଏବଂ କାହା ମାଧ୍ୟମରେ ଏହା ଯୋଗାଣ ହୋଇଛି,ସେନେଇ ମଧ୍ୟ ତଦନ୍ତ ଆବଶ୍ୟକ ବୋଲି ଗ୍ରାମବାସୀମାନେ ବିଡିଓଙ୍କ ନିକଟରେ ଦାବି କରିଥିଲେ । ମରାମତି କାମ ପାଇଁ କୌଣସି ଶ୍ରମିକ କିମ୍ବା ମେକାନିକ୍ଙ୍କୁ ନିୟୋଜିତ କରାଯାଇଥିଲେ ତାଙ୍କୁ କେତେ ଟଙ୍କା ପ୍ରଦାନ କରାଯାଇଛି, ତାହାର ମଧ୍ୟ ଯାଂଚ କରିବାକୁ ଦାବି କହିଛନ୍ତି । ସେହିପରି ଷ୍ଟ୍ରିଟ୍ଲାଇଟ୍ ମରାମତି ଓ ନୂତନ ଲାଇଟ୍ ଲଗାଇବା ପୂର୍ବରୁ ଏନେଇ କୌଣସି କାର୍ଯ୍ୟାଦେଶ, ଅଟକଳ କିମ୍ବା ମାପ ଖାତା ପ୍ରସ୍ତୁତ ହୋଇଥିଲା କି ନାହିଁ, କାମ ସଂପୂର୍ଣ୍ଣ ହୋଇଥିବା ନେଇ କାହା ପକ୍ଷରୁ ଯାଂଚ କରାଯାଇଥିଲା ଏବଂ କେଉଁ ଆଧାରରେ ବିଲ ପ୍ରଦାନ କରାଗଲା,ତାହା ଜଣାଇବାକୁ ଗ୍ରାମବାସୀ ମଧ୍ୟ ଦାବି କରିଛନ୍ତି । ଗ୍ରାମର ବିକ୍ରମ କେଶରୀ ଜେନା,ସୋମ୍ୟ ପ୍ରକାଶ ଜେନା,ପବିତ୍ର ସାହୁ,ଅନିଲ କୁମାର ଦାସ,ସାଗର ସାହୁ,ସାଗର ଦାସ,ଗଣେଷ ସାହୁ ଓ ରାଜେଶ କୁମାର ଜେନା ପ୍ରମୁଖ ଯାଜପୁର ବିଡିଓ ବ୍ରହ୍ମାନନ୍ଦ ବେହେରାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗର ତୁରନ୍ତ କରାଯିବା ନେଇ ବିଡିଓ ପ୍ରତିଶୃତି ଦେଇଥିବା ଜଣା ପଡିଛି ଓ ଏହି ଘଟଣା ସଂପର୍କରେ ଝାଲପଡା ପଂଚାୟତ ପିଇଓ ଜୟଲକ୍ଷ୍ମୀ ସ୍ୱାଇଁଙ୍କୁ ପଚାରିବାରୁ ଆମେ ନିର୍ଦ୍ଧାରିତଠାରୁ ଅଧିକ ପୁରୁଣା ଷ୍ଟ୍ରିଟଲାଇଟ ମରାମତି କରିଛୁଁ ,ଯଦି ଲାଇଟ ଗୁଡିକ ଜଳୁନାହିଁ ପୁନର୍ବାର ଆମେ ସେଗୁଡିକୁ ସଜାଡ଼ି ଦେବୁ ବୋଲି ତାଙ୍କ ପତିକ୍ରିୟାରେ କହିଛନ୍ତି । ତେବେ ଏହି ଷ୍ଟ୍ରିଟ୍ ଲାଇଟ ଘୋଟାଲାର ତୁରନ୍ତ କାର?୍ୟ୍ୟାନୁଷ୍ଠାନ ନିଆ ନ ଗଲେ ନିକଟ ଭବିଷ୍ୟତରେ ଆନ୍ଦୋଳନାତ୍ମ ପନ୍ଥା ଅବଲମ୍ବନ କରାଯିବ ବୋଲି ଅଭିଯୋଗକାରୀମାନେ ଚେତାବନୀ ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ