ସମ୍ବଲପୁର, ୨୧ ନଭେମ୍ବର (ହି.ସ.)- ସମ୍ବଲପୁରର ଐତିହାସିକ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ଦଶମ ଶ୍ରେଣୀର ଛାତ୍ର ସ୍ଵସ୍ତିକ ସ୍ଵରୂପ ମେହେର ୬୮ ତମ ୧୭ ବର୍ଷରୁ କମ୍ ଜାତୀୟ ସ୍କୁଲ୍ ସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି, ଯାହାକି ମଧ୍ୟପ୍ରଦେଶର ନରସିଂହପୁର ଅନ୍ତର୍ଗତ ଗଦରୱାର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ନଭେମ୍ବର ୧୬ ତାରିଖରୁ ୨୦ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଛି। ନବମ ଶ୍ରେଣୀର ଛାତ୍ର ମୁକୁନ୍ଦ ବେରିହା ୧୪ ବର୍ଷରୁ କମ୍ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି, ଯାହାକି ରାଜକୋଟ୍, ଗୁଜୁରାଟରେ ଚଳିତ ନଭେମ୍ବର ମାସର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଆହୁରି ମଧ୍ୟ ଦଶମ ଶ୍ରେଣୀର ଛାତ୍ର ରାହୁଲ କୁସୁମା ଏବଂ ନବମ ଶ୍ରେଣୀର ଛାତ୍ର ଜେଙ୍ଗା ଲାକ୍ରା ୬୮ ତମ ୧୭ ବର୍ଷରୁ କମ୍ ଜାତୀୟ ସ୍କୁଲ୍ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି, ଯାହାକି ଜମ୍ମୁ (ଜମ୍ମୁ ଓ କଶ୍ମୀର)ରେ ଚଳିତ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସେମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଜାତୀୟସ୍ତରକୁ ଉନ୍ନୀତ ହୋଇ ନିଜ ପରିବାର, ବିଦ୍ୟାଳୟ ତଥା ସମ୍ବଲପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ।
ସେମାନଙ୍କର ଏହି ଉଲ୍ଲେଖନୀୟ କୃତିତ୍ଵ ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଲୋକିତା ଦାଶ, ଖେଳଶିକ୍ଷକ ଶ୍ରୀ ଜୟନ୍ତ କୁମାର ପିଙ୍ଗ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ତରଫରୁ ସେମାନଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଅର୍ପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ