ଜୟପୁର, ୨୪ ନଭେମ୍ବର (ହି.ସ.)- ଆଜି ଶ୍ରମିକ କର୍ମଚାରୀ ଭବନ ଠାରେ ଏଆଇଟିୟୁସି ଓ କାଗଜ କଳ ଶ୍ରମିକ ସଂଘ ର ଏକ ବୈଠକ ବସନ୍ତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏଆଇଟିୟୁସି ନେତୃତ୍ବରେ ବ୍ରହ୍ମପୁର ଆଞ୍ଚଳିକ ପିଏଫ୍ କମିଶନର ଅଫିସ୍ ସମ୍ମୁଖରେ ଗତ ୨୧ ନଭେମ୍ବର ବିକ୍ଷୋଭ ଓ ଆଲୋଚନା ସମ୍ବନ୍ଧରେ ସଂଘ ସଭାପତି ପ୍ରମୋଦ କୁମାର ମହାନ୍ତି ସୂଚନା ଦେଇଥିଲେ। ତାସହ ଆଗାମୀ ନଭେମ୍ବର -୨୬ ସମ୍ବିଧାନ ଦିବସରେ ସର୍ବଭାରତୀୟ ଶ୍ରମିକ କୃଷକ ମିଳିତ ଆନ୍ଦୋଳନ ସର୍ବଭାରତୀୟ ସ୍ତରରେ ହେଉଥିବାରୁ ଶ୍ରମିକ ଓ କୃଷକ ମାନଙ୍କ ଦାବି ସମ୍ବଳିତ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ନଭେମ୍ବର - ୨୬ ରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ସେଦିନ କାଗଜ କଳ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଓ କାଗଜ କଳକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ସମ୍ବଳିତ ଦାବିପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ ।
ପ୍ରକାଶଯୋଗ୍ୟ ଯେ, କାରଖାନାର ଉତ୍ପାଦନ ଗତ ଜୁଲାଇ ମାସ କୋଡ଼ିଏ ତାରିଖରୁ ସମ୍ପୁର୍ଣ ବନ୍ଦ ଅଛି । କାର୍ଯ୍ୟକ୍ରମ ଗୁଡିକୁ ସଫଳତା ପାଇଁ ସମସ୍ତେ ସହଯୋଗ କରିବାକୁ ଆହ୍ୱାନ କରିଛନ୍ତି। ଏହି ସଭାରେ ସର୍ବଶ୍ରୀ ସୁଦର୍ଶନ ବିଷୋୟୀ,ସୁବାଷ ବେହେରା, ଅଲେଖ ପାତ୍ର, ଉମା ଶତପଥୀ, ପ୍ରହଲ୍ଲାଦ ମଲ୍ଲିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପବନ