ଭୁବନେଶ୍ୱର, 24 ନଭେମ୍ବର (ହି.ସ.)
-ସୁନ୍ଦରଗଡ ଠାରେ 'ସୁଭଦ୍ରା' ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସହାୟତା ପ୍ରଦାନ
କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀ । ଓଡ଼ିଶାର ସର୍ବବୃହତ ମହିଳା
ସଶକ୍ତିକରଣ ଯୋଜନା 'ସୁଭଦ୍ରା' ଦ୍ଵାରା ୨୦ ଲକ୍ଷରୁ
ଊର୍ଦ୍ଧ୍ଵ ନୂତନ ହିତାଧିକାରୀଙ୍କୁ ୧୦୦୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଯୋଗାଇ
ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା'ମାନଙ୍କ ସାମାଜିକ ଏବଂ ଆର୍ଥିକ ପ୍ରଗତି ଦ୍ଵାରା ହିଁ
ଓଡ଼ିଶା ବିକଶିତ ହେବ। ସେଥିପାଇଁ ଆମ ସରକାର ଦାୟିତ୍ଵ ନେବାର ପ୍ରଥମ ଦିନରେ ହିଁ 'ସୁଭଦ୍ରା' ଯୋଜନା ଲାଗୁ ପାଇଁ
ନିଷ୍ପତ୍ତି ନେବା ସହ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଯୋଜନାର
ଶୁଭାରମ୍ଭ କରାଯାଇଛି। ସୁଭଦ୍ରା ହିତାଧିକାରୀଙ୍କୁ ୫ ବର୍ଷ ମଧ୍ୟରେ ୫୦,୦୦୦ ଟଙ୍କା
ସିଧାସଳଖ ସହାୟତା ରାଶି ଯୋଗାଇଦେବା ନିମନ୍ତେ ସରକାର ସଫଳତାର ସହ ଯୋଜନା କାର୍ଯ୍ୟକାରୀ
କରୁଛନ୍ତି। ମହିଳା ସଶକ୍ତିକରଣ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ଲୋକଙ୍କ ସରକାର ୧୦୦ ଦିନ ଭିତରେ
ହିଁ ପୂରଣ କରିଛନ୍ତି।ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ସହ
ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ସୁନ୍ଦରଗଡ଼ର ବିକାଶ ପାଇଁ ୩୧୨ କୋଟିରୁ ଅଧିକ ଟଙ୍କାର
ବ୍ୟୟ ଅଟକଳରେ ୨୮୮ ଟି ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ ସହ ୮୦୮ କୋଟି ୩୦ ଲକ୍ଷ ୧୫ ହଜାର
ବ୍ୟୟ ଅଟକଳରେ ୬୯୨ ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଛି। ଯାହାକି ସୁନ୍ଦରଗଡ ଜିଲ୍ଲାର
ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବା ସହିତ 'ନୂଆ ଓଡ଼ିଶା, ସମୃଦ୍ଧ ଓଡ଼ିଶା' ଗଠନ କରିବାରେ
ମୁଖ୍ୟ ଭୂମିକା ନେବ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ
ମୋହନ ଚରଣ ମାଝୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ର ଆଦିବାସୀ
ବ୍ଯାପାର ମନ୍ତ୍ରୀ ଜୁଏଲ ଓରାମ, ପଞ୍ଚାୟତିରାଜ ଓ ପାନୀୟଜଳ
ମନ୍ତ୍ରୀ ରବିନାରାୟଣ ନାଏକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ,
ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୋଭା ଶର୍ମା ଏବଂ ଜିଲ୍ଲାପାଳ ମନୋଜ
ମହାଜନ ମଞ୍ଚାସୀନ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା