ଭଦ୍ରକ, ୨୭ ନଭେମ୍ବର (ହି.ସ.) -ଶିକ୍ଷା, ବ୍ୟକ୍ତିତ୍ୱ ଗଠନ ତଥା ମଣିଷର ସର୍ବାଙ୍ଗୀନ ଉନ୍ନତି ସାଧନରେ ସହାୟକ ହୋଇଥାଏ।ଏହାଦ୍ୱାରା ଶିଶୁଟିଏ ଭବିଷ୍ୟତରେ ସଫଳ ନାଗରିକ ହେବା ସହ ତା' ବ୍ୟକ୍ତିତ୍ୱରେ ମାନବିକ ମୂଲ୍ୟବୋଧ ଫୁଟି ଉଠେ । ମାତ୍ର ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥା , କେବଳ ଡିଗ୍ରୀ ପ୍ରଦାନ ସହ ବ୍ୟବସାୟିକ ହୋଇ ମଣିଷ ତିଆରି ଠାରୁ ଦୂରେଇ ଯାଇଛି ବୋଲି ଅବନ୍ତିକା ଆବାସିକ ମହାବିଦ୍ୟାଳୟ, ଚରମ୍ପା ପ୍ରାୟୋଜିତ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳା ଟ୍ରଷ୍ଟ ଆନୁକୁଲ୍ୟରେ ଭଦ୍ରକ ସହର ମନମୋହନ ସଂଗୀତ ପରିଷଦ ପଡ଼ିଆଠାରେ ଦ୍ୱାଦଶ ଭଦ୍ରକ ମହୋତ୍ସବ ଓ ପୁସ୍ତକ ମେଳାର ପଂଚମ ସନ୍ଧ୍ୟାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ମହୋତ୍ସବର ପଂଚମ ସଂନ୍ଧ୍ୟାରେ ଆଜିର ଶିକ୍ଷା ବ୍ୟବସ୍ଥା ମଣିଷ ତିଆରିରେ କେତେ ସଫଳ’ ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲ। ମହୋତ୍ସବର ଉପଦେଷ୍ଟା ଶିକ୍ଷାବିତ ଗୟାଧର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ରାମଚନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା, ନାଟ୍ୟକାର ତଥା କବି ଅଧ୍ୟାପକ ରମାକାନ୍ତ ନାୟକ,ଅବସର ପ୍ରାପ୍ତ ଅଧ୍ୟକ୍ଷ ମାଧବ ଚନ୍ଦ୍ର ଜେନା , ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ସି.ଆର.ସି.ସି.ସରୋଜ କୁମାର ଓଝା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ବାରିକ ଓ ସଂଯୁକ୍ତା ଯାଦବ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। କବୟିତ୍ରୀ ମମତା ଦାଶ ସଂଯୁକ୍ତା ବଳ ଅତିଥିମାନଙ୍କୁ ଅତିଥିମାନଙ୍କୁ ମଂଚ ନିମନ୍ତ୍ରଣ କରିଥିବା ବେଳେ ବିଶ୍ୱମ୍ବର ପଣ୍ଡା ଅତିଥି ପରିଚୟ ଓ ଅଧ୍ୟାପକ ନୀହାର ରଞ୍ଜନ କର ସ୍ୱାଗତ ଭାଷଣ ପ୍ରଦାନ ଏବଂ ମହୋତ୍ସବ ସହ ସମ୍ପାଦିକା ଅଞ୍ଜନା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢ଼ୀ ଓ ଶିକ୍ଷୟିତ୍ରୀ ମନୋରମା ରାୟ ସ୍ୱାଗତ ସଙ୍ଗୀତ ପରିବେଷଣ ଏବଂ ବାବୁଲାଲ ଦାସ ବେଦ ପାଠ କରିଥିଲେ । ମହୋତ୍ସବର ସଭାପତି ଇଂ.ଅଭୟ ସୂତାର ଉତ୍ସବ ସଂଯୋଜନା ଓ ସମ୍ପାଦକ ରବିନାରାୟଣ ଖିଲାର ମଂଚ ଓ ଉତ୍ସବ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ