ମାଲକାନଗିରି, ୨୭ନଭେମ୍ବର (ହି.ସ.)ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେଉଁଠି ସ୍କୁଲ ଅଛି ପିଲା ନାହାନ୍ତି, ଆଉ କେଉଁଠି ପିଲା ଅଛନ୍ତି ଶିକ୍ଷକ ନାହାନ୍ତି। ଏଭଳି ପରିସ୍ଥିତି ଯୋଗୁଁ ଜିଲ୍ଲାରେ ଶିକ୍ଷାର ହାର ରାଜ୍ୟରେ ସର୍ବନିମ୍ନ ରହିଛି। ଜିଲ୍ଲାରେ ୬୦ ପ୍ରତିଶତରୁ ଊର୍ଦ୍ଧ୍ବ ପିଲା ଏବେ ବି ସ୍କୁଲ ଯାଇବି ଅଶିକ୍ଷିତ ରହିଛନ୍ତି।ଶିକ୍ଷା ବିଭାଗର ଉଚ୍ଚପଦାଧିକାରୀ ଏନେଇ ଅବଗତ ରହିଥିଲେ ମଧ୍ୟ ଶିକ୍ଷକ ଅଭାବ ଏବଂ ଗୃହ ଅଭାବ କାରଣ ଦେଖାଇ ନିଜ ଦୋଷ ମୁଣ୍ଡରୁ ଝାଡି ଦେଉଛନ୍ତି। ଏଭଳି ଦେଖିବାକୁ ମିଳିଛି କୋରୁ କୋଣ୍ଡା ବ୍ଲକ ମାରିଵାଡା ପଞ୍ଚାୟତର ଏମଭି-୨୪ ଗ୍ରାମରେ ରହିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ ଶିକ୍ଷାଦାନ ପାଇଁ ମାତ୍ର ଜଣେ ଶିକ୍ଷକ ରହିଛନ୍ତି। ବିଦ୍ୟାଳଯରେ ପ୍ରଥମ ଶ୍ରେଣୀରେ ୪ ଜଣ,ଦ୍ବିତୀୟ ଶ୍ରେଣୀରେ ୬ ଜଣ,ତୃତୀୟ ଶ୍ରେଣୀରେ ୧୫ ଜଣ, ଚତୁର୍ଥ ଶ୍ରେଣୀରେ ୪ ଜଣ, ପଞ୍ଚମ ଶ୍ରେଣୀରେ ୮ ଜଣ, ଷଷ୍ଠ ଶ୍ରେଣୀରେ ୨ ଜଣ, ସପ୍ତମ ଶ୍ରେଣୀରେ ୯ ଜଣ ଏବଂ ଅଷ୍ଟମ ଶ୍ରେଣୀରେ ୭ ଜଣ ପିଲା ଅଧ୍ୟୟନ କରୁଛନ୍ତି।ତେବେ ମୋଟରେ ୫୪ ଜଣ ପିଲା ପାଠ ପଢୁଛନ୍ତି। ଏହି ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକକୁ ଜଣେ ଶିକ୍ଷୟତ୍ରୀ ରହିଥିଲେ। ଶିକ୍ଷୟତ୍ରୀ ଜଣକ ଅନ୍ୟତ୍ର ଡେପୁଟେସନରେ ଚାଲିଯାଇଥିବା ବେଳେ ଜଣେ ମାତ୍ର ପ୍ରଧାନ ଶିକ୍ଷକ ସ୍କୁଲରେ ପାଠ ପଢାଇବା ସହ ସମସ୍ତ କାର୍ଯ୍ୟାଳୟ କାମ ଏବଂ ଅନ୍ୟ କାମ କରୁଥିବା ଜଣାପଡିଛି!ଏଠାରେ ୮ମ ପର୍ଯ୍ୟନ୍ତ ସ୍କୁଲ ଖୋଲିଦିଆଗଲା କିନ୍ତୁ ଏଥିପାଇଁ ଶ୍ରେଣୀ ଗୃହ ଏବଂ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି କରାଗଲା ନାହିଁ।ଯାହାଫଳରେ ପିଲାମାନେ ଗୋଟିଏ କଠୋରୀରେ ବସି ପାଠ ପଢୁଛନ୍ତି। ଆଜି ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ପୋଷାକ ମିଳିନାହିଁ। ପିଲାମାନେ ଅଙ୍ଗନବାଡି କେନ୍ଦ୍ରରେ ମିଳିଥିବା ପୋଷାକ ପିନ୍ଧି ସ୍କୁଲକୁ ଆସିଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା ରହିଥିବା ବେଳେ ରୋଷେୟୀ ଘର ମଧ୍ୟ ରହିଛି। ତେବେ ଗୋଟିଏ କଠୋରୀରେ କାର୍ଯ୍ୟାଳୟ ସହ ସମସ୍ତ ବିଦ୍ୟାଳୟର ସାମଗ୍ରୀ ରହିଥିବା ବେଳେ ଆଉ ଏକ କଠୋରୀରେ ପାଠ ପଢାଯାଉଛି।ଜଣେ ଶିକ୍ଷକ ୮ଟି ଶ୍ରେଣୀକୁ କିପରି ପଢାଉଥିବେ ସହଜରେ ଅନୁମେୟ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ