ପ୍ରତିଭାଙ୍କ ମହକରେ ମହକିତ ସର୍‌ଗିଫୁଲ୍
ବିଦ୍ୟାର୍ଥୀଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ପାଇଁ ସମର୍ପିତ ସର୍‌ଗିଫୁଲ ଭୁବନେଶ୍ୱର, 21 ଡିସେମ୍ବର - ସଫଳତାର ସହ ଶେଷ ହୋଇଛି ରାଜ୍ୟସ୍ତରୀୟ ସର୍‌ଗିଫୁଲ୍ ଉତ୍ସବ ୨୦୨୪ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ନେଇ ୨୦୧୦ ମସି
ପ୍ରତିଭାଙ୍କ ମହକରେ ମହକିତ ସର୍‌ଗିଫୁଲ୍


ବିଦ୍ୟାର୍ଥୀଙ୍କ ଲୁକ୍କାୟିତ ପ୍ରତିଭାର ପରିସ୍ଫୁଟନ ପାଇଁ ସମର୍ପିତ

ସର୍‌ଗିଫୁଲ

ଭୁବନେଶ୍ୱର, 21 ଡିସେମ୍ବର - ସଫଳତାର ସହ ଶେଷ ହୋଇଛି ରାଜ୍ୟସ୍ତରୀୟ

ସର୍‌ଗିଫୁଲ୍ ଉତ୍ସବ ୨୦୨୪ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କୁ ନେଇ

୨୦୧୦ ମସିହାରୁ ଏହି ଉତ୍ସବ ପାଳିତ ହୋଇଆସୁଛି । ଶିକ୍ଷା କେବଳ ଶ୍ରେଣୀଗୃହରେ ସୀମିତ ନ ରହୁ, ଏହା ହିଁ ଉତ୍ସବ ପାଳନର ଉଦ୍ଦେଶ୍ୟ ଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ

ପିଲାମାନଙ୍କ ମଧ୍ୟରେ ଥିବା ଉତ୍ସାହ, ଉଦ୍ଦୀପନା ଏହି

ଉତ୍ସବକୁ ବହୁଗୁଣିତ କରିପାରିଛି । ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ

ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅନ୍ତର୍ଗତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଆବାସିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟରୁ

ପଞ୍ଚମରୁ ଦ୍ଵାଦଶ ଶ୍ରେଣୀରେ ପଢୁଥିବା ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ

ଥିବା ଶିକ୍ଷକଶିକ୍ଷୟିତ୍ରୀ ସାମିଲ ହୋଇଥିଲେ । ଜିଲ୍ଲାସ୍ତରରୁ ବିଭିନ୍ନ କାର୍ଯ୍ୟକ୍ରମ ଓ

ପ୍ରତିଯୋଗିତା ମାଧ୍ୟମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ

ଥିବା ଲୁକ୍କାୟିତ ପ୍ରତିଭାକୁ ପରିସ୍ଫୁଟନ କରିବାରେ ସର୍‌ଗିଫୁଲ୍‌ ମହୋତ୍ସବ ସଫଳ ହୋଇଛି ।

ଅନୁସୂଚିତ ଜନଜାତି ଓ

ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ

ଓ ପଛୁଆବର୍ଗ କଲ୍ୟାଣ ବିଭାଗର ଆଭିମୁଖ୍ୟ ଏହାର ନାମରୁ ହିଁ ବାରି ହୋଇପଡ଼େ । “କଲ୍ୟାଣ”-

ସମାଜର ପ୍ରତ୍ୟେକ

ବର୍ଗକୁ ମୁଖ୍ୟସ୍ରୋତରେ ସାମିଲ କରିବା ଓ ସେମାନଙ୍କର କଲ୍ୟାଣ କରିବା ଏହି ବିଭାଗର ଉଦ୍ଦେଶ୍ୟ ।

ଏହି କ୍ଷେତ୍ରରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଯେଉଁ ସମାଜରେ ସମସ୍ତ ବର୍ଗ ଶିକ୍ଷିତ, ସେ ସମାଜ ସର୍ବଦା ଶ୍ରେଷ୍ଠ । ଆମ ରାଜ୍ୟ ସରକାରଙ୍କ ଲକ୍ଷ୍ୟ “ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା” । ଏହି ଉକ୍ତିକୁ ପ୍ରତିପାଦିତ କରିବା ନିମନ୍ତେ ଅନୁସୂଚିତ

ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗଙ୍କୁ ସଶକ୍ତ କରିବାର ଆବଶ୍ୟକତା ରହିଛି ।

ସ୍ଵର୍ଣ୍ଣିମ ଓଡ଼ିଶା ଗଠନ ଦିଗରେ ଯେଉଁମାନେ ଆମର ଭବିଷ୍ୟତ, ସେମାନଙ୍କୁ ପ୍ରେରିତ କରିବା ପାଇଁ ସର୍‌ଗିଫୁଲ୍‌ ସମାରୋହରେ ଆୟୋଜିତ

ହୋଇଯାଇଥିଲା “ମିଟ୍ ଦି ପର୍ସନାଲିଟି” ଅଧିବେଶନ । ଲକ୍ଷ୍ୟ

ଥିଲା ସଫଳ ଛାତ୍ରଛାତ୍ରୀମାନଙ୍କୁ ଗୋଟେ ମଞ୍ଚରେ ଏକାଠି କରିବା ଓ ସେମାନଙ୍କ ସଫଳତାର କାହାଣୀକୁ

ଭବିଷ୍ୟତର ପିଢି ନିକଟରେ ପହଞ୍ଚାଇବା । ଏହି ଅଧିବେଶନରେ ଯୋଗ ଦେଇଥିଲେ ଆଦିବାସୀ ସମାଜର ୫ ଜଣ

ତାରକା – ମାଣ୍ଡିଆ ରାଣୀ ରାଇମତି ଘିଉରିଆ, ବଣ୍ଡାଘାଟିର ସୁଯୋଗ୍ୟ ସନ୍ତାନ ମଙ୍ଗଳା ମୁଦୁଲି, ଓଡ଼ିଶା ସିଭିଲ୍ ସର୍ଭିସରେ କୃତକାର୍ଯ୍ୟ ହୋଇଥିବା ମାଲକାନଗିରିର

ବିନି ମୁଦୁଲି, କୋରାପୁଟର ଧନପତି ସିସା ଓ ଜୟରାମ

ବଡ଼ନାଏକ । ସେମାନଙ୍କ ପ୍ରେରଣାଦାୟୀ କାହାଣୀକୁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିବାରେ ସଫଳ

ହୋଇଥିଲା ସର୍‌ଗିଫୁଲ୍‌ । ଅଦମ୍ୟ ବିଶ୍ଵାସ, ସାହାସ, ତ୍ୟାଗ, ନିଷ୍ଠା ବଳରେ ସେମାନେ

ସଫଳତା ହାସଲ କରିପାରିଥିଲେ ଓ ବର୍ତ୍ତମାନ ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ।

ମାଣ୍ଡିଆ ରାଣୀଙ୍କୁ ବା ଏବେ କିଏ ନ ଚିହ୍ନେ । ଜୈବିକ ପଦ୍ଧତିରେ

ମାଣ୍ଡିଆ, ଧାନ ଚାଷ କରି ଜିଲ୍ଲା, ରାଜ୍ୟ ଏବଂ ସର୍ବଭାରତୀୟ ସ୍ତରରେ ଚର୍ଚ୍ଚାରେ ଏବେ ରାଇମତି ଘିଉରିଆ ।

ନିକଟରେ ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କଠାରୁ ଡକ୍ଟରେଟ୍ ଉପାଧି ମଧ୍ୟ ପାଇଛନ୍ତି ।

ଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରି ୨୦ ଦେଶର ନେତାଙ୍କ ନିକଟରେ

ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ।

ସେହିପରି ବଣ୍ଡାଘାଟିର ପ୍ରଥମ ଡାକ୍ତରୀ ଛାତ୍ର ମଙ୍ଗଳା ମୁଦୁଲିଙ୍କ

କାହାଣୀ ସଂଘର୍ଷର ପ୍ରକୃତ ଉଦାହରଣ । ପ୍ରଥମେ ମୁଦୁଲିପଡ଼ା ସରକାରୀ ଆବାସିକ ବିଦ୍ୟାଳୟରେ

ପଢ଼ିବା ପରେ ମାଥିଲିଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ

ଯୁକ୍ତ ୨ ବିଜ୍ଞାନ ବିଭାଗରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ । ପରେ ତାଙ୍କର ଡାକ୍ତର

ହେବା ଇଚ୍ଛାକୁ ପୂରଣ କରିବା ଦିଗରେ ଅନେକ ଅଭାବ ଅନଟନ ମଧ୍ୟରେ ରହି ପାଠ ପଢିଲେ ଓ ସର୍ବଭାରତୀୟ

ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ । ବର୍ତ୍ତମାନ ସେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ୍

କଲେଜରେ ପାଠ ପଢୁଛନ୍ତି ।

ସେହିପରି ଆତ୍ମବିଶ୍ଵାସକୁ ନିଜର ସାଥି କରି ଆଗେଇ ଆସିଥିଲେ ତିନି ଜଣ

ତାରକା । ମାଲକାନଗିରି ଜିଲ୍ଲାର ବିନି ମୁଦୁଲି, କୋରାପୁଟ ଜିଲ୍ଲାର

ଜୟରାମ ବଡ଼ନାଏକ ଏବଂ ଧନପତି ସିସା । ୨୦୨୨ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଯଥାକ୍ରମେ

୫୯୬,

୬୫୦ ଓ ୬୬୬ ରାଙ୍କ୍

ରଖି କୃତକାର୍ଯ୍ୟ ହୋଇଛନ୍ତି । ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଆତ୍ମବିଶ୍ଵାସ ସମେତ

ପ୍ରତିବଦ୍ଧତା, ନିଷ୍ଠାପରତା ଆବଶ୍ୟକତାକୁ ନିଜ ନିଜର

କାହାଣୀ ମାଧ୍ୟମରେ ଅଧିବେଶନରେ ଉପସ୍ଥାପନା କରିଥିଲେ ।

ଏପରି ଉଜ୍ଜ୍ଵଳ ତାରକାଙ୍କ ସଫଳତାର କାହାଣୀକୁ ଉପସ୍ଥାପନା କରିବା ଏବଂ

ସେମାନଙ୍କ କାହାଣୀରୁ ପ୍ରେରଣା ସଂଗ୍ରହ କରିବା ଥିଲା ଏହି ଅଧିବେଶନ ଆୟୋଜନର ଉଦ୍ଦେଶ୍ୟ ।

ସେମାନଙ୍କ ଆତ୍ମକାହାଣୀ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ନୁହେଁ ବରଂ ସମଗ୍ର ସମାଜ ପାଇଁ ପ୍ରେରଣାର

ଉତ୍ସ । ପ୍ରତ୍ୟେକ ଛାତ୍ର ମଧ୍ୟରେ ରହିଛି ଅନନ୍ୟ ପ୍ରତିଭା । କେବଳ ନିଜ ପ୍ରତିଭାକୁ ଖୋଜିବାର

ଆବଶ୍ୟକତା ରହିଛି । ପ୍ରତିଯୋଗୀ ମନୋଭାବ ହେଉଛି ସଫଳତାର ମୂଳ ଆଧାର । ଏହି ମନୋଭାବ ବଳବତ୍ତର

ରହିଲେ ଛାତ୍ରଛାତ୍ରୀମାନେ ଆହୁରି ଆଗକୁ ବଢିବେ । ସଂରକ୍ଷିତ ଚିନ୍ତାଧାରାରୁ ମୁକୁଳି ବିକଶିତ

ଶିକ୍ଷାର ମହାସ୍ରୋତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ । ଶୈକ୍ଷିକ ପରିମଣ୍ଡଳର ଉନ୍ନତି

ସହିତ ସୃଜନ ଓ ନେତୃତ୍ୱ ସେମାନଙ୍କ କାର୍ଯ୍ୟଧାରାରେ ପ୍ରତିଫଳିତ ହେବ । ଜୀବନରେ ପ୍ରଭାବୀ ସଫଳତା

ମିଳିବ । “ସର୍‌ଗିଫୁଲ’’ ଉତ୍ସବ ସେହି ସଫଳତାର ଆଦ୍ୟ ସୋପାନ ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande