ସମ୍ବଲପୁର, ୨୧ ଡିସେମ୍ବର (ହି.ସ.)
ଲିଟିଲ୍ ଷ୍ଟାର ପ୍ଲେ ହୋମ୍ ର ରଜତ ଜୟନ୍ତୀ କାର୍ଯ୍ୟକ୍ରମ 'ମନ୍ଥନ' ଶନିବାର ତପସ୍ୱୀନୀ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ ପ୍ରମୋଦ ରଥ ଶିଶୁ ମାନଙ୍କୁ ବିଭିନ୍ନ ଭାଷା ଶିକ୍ଷା ଦେବା ସହ ମାତୃଭାଷା ସମ୍ବଲପୁରୀକୁ ମଧ୍ୟ କିଭଳି ଶିକ୍ଷା ଲାଭ କରିପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସ୍କୁଲ କର୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ନାଟ୍ୟକାର ବିପିନ ଦାସ ପ୍ଲେ ହୋମ ର ଦୀର୍ଘ ୨୫ ବର୍ଷ ର ଯାତ୍ରା ବିଷୟରେ ଅବଗତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଙ୍ଗାଧର ମେହେର ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ସୁରୁବାବୁ ମେହେର କହିଥିଲେ ଯେ ଶିଶୁ ମାନଙ୍କ ଭିତ୍ତିଭୂମି ଯେଭଳି ଭାବେ ଗଢାହେବ ସେମାନେ ଆଗକୁ ସମାଜ ପାଇଁ ସେଭଲି କାର୍ଯ୍ୟ କରିବେ। ସେହିପରି ଅନ୍ୟତମ ସମ୍ମାନିତ ଅତିଥି ସଂଜୀବ ପଣ୍ଡା ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ଲେ ହୋମ ର ପଦକ୍ଷେପ କୁ ପ୍ରଶଂସା କରିଥିଲେ।ପ୍ଲେ ହୋମ ର ଅଧ୍ୟକ୍ଷା ପୁଷ୍ପାଞ୍ଜଳି ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକକୁ ଉପାଧ୍ୟକ୍ଷାବୀଜୟଲକ୍ଷ୍ମୀ ଶତପଥୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶ୍ରେଷ୍ଠ ଛାତ୍ରୀ ଭାବେ ଅର୍ଣବୀ ନାୟକଙ୍କୁ ରିଙ୍ଗ ସିଲ୍ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ଳେ ହୋମ୍ ର ଛାତ୍ରୀଛାତ୍ର ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ରେ ପରିବେଷ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଥିଲେ ଛୋଟ ଛୋଟ ଶିଶୁମାନେ । ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ନୃତ୍ୟ ଶିକ୍ଷକ ମୃତ୍ୟୁଞ୍ଜୟ ପାଣିଗ୍ରାହୀ ସ୍ବତନ୍ତ୍ର ଭାବେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମ କୁ ସୁକନ୍ୟା ଶୁଭଦର୍ଶୀନୀ ସାହୁ, ସିମରନ ସାହୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ସବିତା ସାହୁ, ବୀଣାପାଣି ଷଡ଼ଙ୍ଗୀ, ସୋନାଲି ଦାସ, ସୁନୀତା ସାମଲ, ଅନୁପମା ପଟ୍ଟନାୟକ, ଲକ୍ଷ୍ମୀ ସେଟ୍ଟୀ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ