ସ୍ଵେଛାସେବୀ ଅନୁଷ୍ଠାନ ମାନଙ୍କର ସମନ୍ବୟ ସଭା
ପୁରୀ, ୨୫ ଏପ୍ରିଲ (ହି.ସ.)- ବିଗତ ବର୍ଷ ମାନଙ୍କରେ ରଥଯାତ୍ରାରେ ସ୍ଵେଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହି
rathjayra ngo


rathjayra ngo


ପୁରୀ, ୨୫ ଏପ୍ରିଲ (ହି.ସ.)- ବିଗତ ବର୍ଷ ମାନଙ୍କରେ ରଥଯାତ୍ରାରେ ସ୍ଵେଛାସେବୀ ମାନଙ୍କର ସେବା ଅନନ୍ୟ ଓ ପ୍ରଶଂସନୀୟ ରହିଥିଲା। ଚଳିତ ରଥଯାତ୍ରାରେ ମଧ୍ୟ ଅନୁରୂପ ଉଲ୍ଲେଖନୀୟ ସେବା ଯୋଗାଇ ଦେବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅନୁରୋଧ କରିଛନ୍ତି। ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ପାଇଁ ସ୍ଵେଛାସେବୀ ମାନଙ୍କ ସହ ଏକ ସମନ୍ଵୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସ୍ଵାଇଁ ରଥଯାତ୍ରା ସମୟରେ ବିବିଧ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ହୋଇଥାଏ। ତେଣୁ ସ୍ଵେଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ ଅନୁଭବ ଓ ଅଭିଜ୍ଞତାରୁ ପ୍ରଭୁଙ୍କ କାର୍ଯ୍ୟରେ ବିଭିନ୍ନ ସେବା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏସପି ପିନାକ ମିଶ୍ର ରଥଯାତ୍ରା ସମୟରେ ଏକୁଟିଆ ପ୍ରଶାସନ ବା ପୋଲିସ ଲକ୍ଷ ଲକ୍ଷ ସଂଖ୍ୟାରେ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ସୁରକ୍ଷା ଓ ସୁବିଧା ଯୋଗାଇବା ସମ୍ଭବ ନୁହେଁ। ଏଥିପାଇଁ ସ୍ଵେଛାସେବୀ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। ମହାପ୍ରଭୁଙ୍କ ସେବା ବୋଲି ଅନୁଭବ କରି ଆମେ ମିଳିମିଶି କାମ କରିବାକୁ ସେ ଅନୁରୋଧ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତଙ୍କୁ ସ୍ଵାଗତ କରିବା ସହ ବିଗତ ବର୍ଷ ମାନଙ୍କ ଭଳି ସ୍ଵେଛାସେବୀ ମାନେ ଉନ୍ନତ ସେବା ଯୋଗାଇ ଦେବାକୁ ଅନୁରୋଧ କରି ପ୍ରଶାସନ ପକ୍ଷରୁ ମଧ ଅନୁରୂପ ସହଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ।

ପରେ ବିସ୍ତୃତ ଆଲୋଚନା ପରେ ପରିମଳ ବ୍ୟବସ୍ଥା, ସ୍ଵାସ୍ଥ୍ୟ ସେବା, ଚିକିତ୍ସା ସହାୟତା, ଆମ୍ବୁଲାନ୍ସ ସେବା, ଷ୍ଟେଚର ସେବା, ରକ୍ତ ଦାନ, ଶବ ସତ୍କାର, ଆଶୁ ଚିକିତ୍ସା କେନ୍ଦ୍ର ସ୍ଥାପନ, ପାନୀୟ ଜଳ ଯୋଗାଣ, ଟ୍ରାଫିକ ରକ୍ଷାରେ ସହାୟତା, ଶୃଙ୍ଖଳା ରକ୍ଷା, ଜଳ ସିଚଂନ, ରାସ୍ତା ଘାଟ ପରିଷ୍କାର, ଶ୍ରୀମନ୍ଦିର, ଶ୍ରୀ ଗୁଣ୍ଡିଚା ମନ୍ଦିର, ବଡଦାଣ୍ଡ, ସମୁଦ୍ର କୂଳ ପରିଷ୍କାର, ତୀର୍ଥ ପୁଷ୍କରିଣୀ ପରିଷ୍କାର, ବଡ଼ଦାଣ୍ଡରୁ ବୁଲା ଗାଈଗୋରୁ ଓ ଷଣ୍ଢକୁ ହଟାଇବା, ସୂଚନା ପ୍ରଦାନ ବ୍ୟବସ୍ଥା ଓ ଉଦ୍ଧାର କାର୍ଯ୍ୟ ଇତ୍ୟାଦିକୁ ସ୍ଵେଛାସେବୀ ଅନୁଷ୍ଠାନ ମାନେ ପରିଚାଳନା କରିବେ ବୋଲି ଆଲୋଚନା କରାଗଲା। ଏହି କାର୍ଯ୍ୟକୁ ବିଭିନ୍ନ ସବକମିଟି ଗଠନ କରାଯାଇ ବରିଷ୍ଠ ଅଧିକାରୀ ବା ନୋଡାଲ ଅଫିସରଙ୍କ ତତ୍ଵାବଧାନରେ ଯୋଜନାବଦ୍ଧ ଭାବେ କାର୍ଯ୍ୟ ସମ୍ପାଦନ କରାଯିବ। ଯେଉଁ କ୍ଷେତ୍ରରେ ଯେଉଁ ସ୍ଵେଛାସେବୀ ଅନୁଷ୍ଠାନ ମାନଙ୍କର ଅଭିଜ୍ଞତା ରହିଛି ସେମାନେ ସେହି କ୍ଷେତ୍ରରେ କାର୍ଯ୍ୟ କରିବେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ପୌର ନିର୍ବାହୀ ଅଧିକାରୀ ପ୍ରଜ୍ଞାଶ୍ରୀ ପ୍ରିୟମ୍ବଦା, ଏଡ଼ିଏମଓ ଡା. ବିରଜା ଶଙ୍କର ରଥ, ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝି ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ମତାମତ ପ୍ରଦାନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ପ୍ରଫୁଲ୍ଲ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢ଼ୀ, ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କ ସହ ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ବିବିଧ ପ୍ରସ୍ତାବ ମାନ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ଦିବଙ୍ଗତ ସଦସ୍ୟ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ/ସମନ୍ୱୟ


 rajesh pande